ନୋଏଡା: ରାତି ପାହିଥିଲେ ଲୋକଙ୍କୁ ବିକିଥାନ୍ତେ ଛୋଲେ କୁଲଚେ, ବଟୋରେ। ଛୋଲେ ତିଆରୀ ପାଇଁ ଷ୍ଟୋଫରେ ବସିଥିଲା। ହେଲେ ରାତିରେ ଘୋଟି ଆସିଥିଲା କାଳ ନିଦ୍ରା। ଆଉ ରାତି ସାରା ଲାଗିଥିଲା ଷ୍ଟୋଫ। ସକାଳ ହେଲା ବେଳକୁ ସରିଗଲା ସବୁକିଛି। ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ନୋଏଡାରେ। ନୋଏଡାର ଭଡ଼ା ଘରେ ରହୁଥିଲେ ୨ ଜଣ ଯୁବକ। ଛୋଲେ କୁଲଛେ, ବଟୋରେ ବିକି ଜୀବିକା ନିର୍ବାହ କରନ୍ତି। ସବୁଦିନ ଭଳି ସେଦିନ ମଧ୍ୟ ରାତିରେ ଷ୍ଟୋଫରେ ବସିଥିଲା ଛୋଲେ। କାଳ ସବୁ କିଛି ସାରିଦେଲା। ଛୋଲେ ଜଳି ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ଜଣଙ୍କ ଜୀବନ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉଭୟ ଯୁବକ ଶୁକ୍ରବାର ରାତିରେ ଗ୍ୟାସ୍ ଷ୍ଟୋଭ୍ ଉପରେ ଛୋଲେ ରୋଷେଇ କରିବାକୁ ବସାଇଥିଲେ। ଏହାପରେ ସେମାନେ ଗ୍ୟାସ୍ ଅନ୍ କରି ଶୋଇ ପଡିଥିଲେ। ନୋଏଡା ସେଣ୍ଟ୍ରାଲ୍ ଜୋନ୍ ଆସିଷ୍ଟାଣ୍ଟ ପୁଲିସ୍ କମିଶନର ରାଜୀବ ଗୁପ୍ତା କହିଛନ୍ତି ଯେ ଚୁଲି ଉପରେ ଛୋଲେ ରାନ୍ଧିବା କାରଣରୁ କୋଠରୀଟି ଧୂଆଁରେ ପରିପୂର୍ଣ୍ଣ ହୋଇ ଯାଇଥିଲା।
ଏହାପରେ ସେମାନଙ୍କ ପଡୋଶୀ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି କବାଟ ବାଡେଇ ଥିଲେ। କିନ୍ତୁ କେହି ଖୋଲି ନଥିଲେ। ଏହାପରେ କବାଟ ଭାଙ୍ଗି ସେମାନେ ଘର ଭିତରେ ପଶିଥିଲେ। ଦୁଇ ଯୁବକଙ୍କ ଅଚେତ ଅବସ୍ଥାରେ ପଡିଥିବା ଦେଖି ସେମାନେ ତାଙ୍କୁ ଉଦ୍ଧାର କରି ନୋଏଡା ସେକ୍ଟର-୩୯ରେ ଥିବା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଘରର କବାଟ ଝରକା ବନ୍ଦ ଥିବାରୁ, ରୁମ୍ ଭିତରେ ଅକ୍ସିଜେନ୍ ଅଭାବ ଦେଖାଦେଇଥିଲା। ଜଳୁଥିବା ଖାଦ୍ୟରୁ ଧୂଆଁ ବାହାରି ଘରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ର ପରିମାଣ ଅଧିକ ହୋଇଯାଇଥିଲା। ଏହି ବିଷାକ୍ତ ଧୂଆଁ ଯୋଗୁ ଶ୍ୱାସରୁଦ୍ଧ ହୋଇ ଉପେନ୍ଦ୍ର ଓ ଶୁଭମ୍ଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।