ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦାଦି କହି ଫସିଲେ ବିଧାୟକ । ରାଜସ୍ଥାନ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ ବିରୋଧୀ ବିଧାୟକମାନେ ବିଧାନସଭାରେ ହୋହଲ୍ଲା କରିଥିଲେ । ହଟ୍ଟଗୋଳ ଯୋଗୁଁ ଗୃହର କାର୍ଯ୍ୟ ତିନିଥର ସ୍ଥଗିତ ରଖିବାକୁ ପଡିଥିଲା। ଶେଷରେ, ବାଚସ୍ପତି କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ କଂଗ୍ରେସ ବିଧାୟକମାନଙ୍କ ହଟ୍ଟଗୋଳ ବନ୍ଦ ହୋଇ ନ ଥିଲା। ଏହା ପରେ ବାଚସ୍ପତି ୬ ଜଣ ବିରୋଧୀ ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ବାଚସ୍ପତି ସୋମବାର ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି। ମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ରାଜସ୍ଥାନରେ ବିଧାନସଭାର ବଜେଟ ଅଧିବେଶନ ଚାଲିଛି । ପ୍ରଶ୍ନକାଳ ସମୟରେ ରାଜସ୍ଥାନ ସରକାରଙ୍କ ଜଣେ ମନ୍ତ୍ରୀ ଅଭିନାଶ ଗେହଲଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଏକ ଅନୁପଯୁକ୍ତ ଶବ୍ଦ ବ୍ୟବହାର କରିଥିଲେ, ଯାହା ପରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପ୍ରଶ୍ନକାଳରେ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଗେହଲଟ ବିରୋଧୀ ଦଳ ଆଡ଼କୁ ଇଙ୍ଗିତ କରି କହିଥିଲେ, ପ୍ରତିଥର ପରି, ଆପଣ ଏହି ଯୋଜନାକୁ ଆପଣଙ୍କ ‘ଦାଦୀ’ ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ କରିଛନ୍ତି।ବିରୋଧୀ ଦଳ ନେତା ଟିକାରାମ ଜୁଲି ଅଭିନାଶ ଗେହଲଟଙ୍କ ଏହି ବକ୍ତବ୍ୟ ଉପରେ ଆପତ୍ତି ଉଠାଇଥିଲେ । ମନ୍ତ୍ରୀଙ୍କଠାରୁ କ୍ଷମା ମାଗିବା ଏବଂ ବିଧାନସଭାର କାର୍ଯ୍ୟକାରିତାରୁ ତାଙ୍କ ଶବ୍ଦଗୁଡ଼ିକୁ ହଟାଇବା ପାଇଁ ଦାବି କରିଥିଲେ। ଯେତେବେଳେ ସେମାନଙ୍କ ଦାବି ପୂରଣ ହେଲା ନାହିଁ, ବିରୋଧୀ ବିଧାୟକମାନେ ହଟ୍ଟଗୋଳ କରିବା ଆରମ୍ଭ କରିଥିଲେ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଜୋଗାରାମ ପଟେଲ ହସ୍ତକ୍ଷେପ କରି କହିଥିଲେ ଯେ ‘ଦାଦି ଏକ ସମ୍ମାନଜନକ ଶବ୍ଦ।’ ବିଧାନସଭାରେ ବିଧାୟକମାନଙ୍କ ନିଲମ୍ବନ ଉପରେ କଂଗ୍ରେସ ରାଜ୍ୟ ୟୁନିଟ ସଭାପତି ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ଯେ ରାଜସ୍ଥାନ ଇନ୍ଦିରାଜୀଙ୍କ ଅପମାନକୁ ସହ୍ୟ କରିବ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ମନ୍ତବ୍ୟ ଦେବା ପାଇଁ ବିଜେପି ସରକାରଙ୍କ ମନ୍ତ୍ରୀ ଅଭିନାଶ ଗେହଲଟଙ୍କୁ କ୍ଷମା ମାଗିବା ଉଚିତ। ସେହି ସମୟରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଯେ, ରାଜସ୍ଥାନର ବିଜେପି ସରକାର ବିଧାନସଭା ଚଳାଇବାକୁ ଚାହୁଁନାହିଁ, ସେଥିପାଇଁ ସେମାନଙ୍କ ମନ୍ତ୍ରୀମାନେ ଦିବଂଗତ ପ୍ରଧାନମନ୍ତ୍ରୀଙ୍କ ଉପରେ ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି। ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ମନ୍ତ୍ରୀ ଅଭିନାଶ ଗେହଲଟ ଯେଉଁ ନୀଚ ମନ୍ତବ୍ୟ ଦେଇଛନ୍ତି ତାହା ସହ୍ୟ କରାଯାଇପାରିବ ନାହିଁ।