ଶପଥ ପାଇଁ ୭୫ ଦିନ ଅପେକ୍ଷା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଫଳ ମୋଟାମୋଟି ଭାବେ ସ୍ପଷ୍ଟ ହୋଇଛି । ପୁଣି ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ପୁଣି ଥରେ ବିଶ୍ୱର ଶକ୍ତିଶାଳୀ ଦେଶର ଶାସନ କ୍ଷମତାକୁ ଫେରିଛନ୍ତି । ଟ୍ରମ୍ପ ପ୍ରାୟ ୨୭୦ ଇଲେକ୍ଟୋରାଲ୍ କଲେଜ୍ ଭୋଟର ମ୍ୟାଜିକ୍ ନମ୍ବରକୁ ଛୁଇଁଥିବା ଜଣାଯାଇଛି। ଏହି ବିଜୟକୁ ନେଇ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ହେଲେ ତାଙ୍କୁ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ୭୫ ଦିନ ଅପେକ୍ଷା କରିବାକୁ ପଡ଼ିବ । ଏହି ଶପଥ ସମାରୋହ ୨୦୨୫ ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ । ଅର୍ଥାତ ଭୋଟ ଫଳ ଆସିବାର ୭୫ ଦିନ ପରେ ହିଁ ଟ୍ରମ୍ପ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ । ଏହି ୭୫ ଦିନ ମଧ୍ୟରେ ବିଭିନ୍ନ ଔପଚାରିକତା ସମ୍ପନ୍ନ ହେବ ।

ଶପଥ ପାଇଁ ଦୀର୍ଘ ଦିନ ଲାଗିବା ପଛରେ କାରଣ ରହିଛି । ଆମେରିକାକୁ ୧୭୭୬ରେ ସ୍ୱାଧୀନତା ପ୍ରାପ୍ତ ହୋଇଥିଲା । ସେ ସମୟରେ ଅଧିକାଂଶ ଲୋକ ଦୂରଦୂରାନ୍ତ ଅଞ୍ଚଳରେ ବାସ କରୁଥିଲେ । ଦୁର୍ଗମ ଅଞ୍ଚଳ ଯୋଗୁ ଯାତାୟାତ ଦୁରୂହ ଥିଲା । ନିର୍ବାଚନ ପରେ ଭୋଟ ଗଣତି, କଂଗ୍ରେସ ପର୍ଯ୍ୟନ୍ତ ଭୋଟ ପହଞ୍ଚାଇବାରେ ଅଧିକ ସମୟ ଲାଗୁଥିଲା । ତେଣୁ ଭୋଟିଂରୁ ଶପଥ ଗ୍ରହଣ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ରଖାଯାଇଥିଲା ।


ପ୍ରାରମ୍ଭିକ ସମୟରେ ଏହି ବ୍ୟବଧାନ ଆହୁରି ଅଧିକ ଥିଲା । ୧୭୮୯ରେ ପ୍ରଥମ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ରୁ ହୋଇଥିଲା । ଦ୍ୱିତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୧୭୯୩ ମାର୍ଚ୍ଚ ୪ରୁ ଆରମ୍ଭ ହୋଇଥିଲା ଏବଂ ଏହା ପରମ୍ପରା ହୋଇଯାଇଥିଲା । ନଭେମ୍ବରରେ ନିର୍ବାଚନ ହେବା ପରେ ମାର୍ଚ୍ଚ ପର୍ଯ୍ୟନ୍ତ ବହୁତ ସମୟ ନଷ୍ଟ ହେଉଥିଲା । କ୍ୟାବିନେଟ ଗଠନ ଲାଗି ଏତେ ସମୟର ଆବଶ୍ୟକତା ନ ଥିଲା । ତେଣୁ ୧୯୩୩ରେ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜଭେଲ୍ଟଙ୍କ ଶପଥ ଗ୍ରହଣ ପୂର୍ବରୁ ବିଂଶତମ ସମ୍ବିଧାନ ସଂଶୋଧନ ଜରିଆରେ ଜାନୁଆରୀ ୨୦କୁ ନୂଆ କାର୍ଯ୍ୟକାଳର ଆରମ୍ଭ ତାରିଖ ଧାର୍ଯ୍ୟ ହୋଇଥିଲା । ୨୦୧୩ରେ ବାରାକ୍ ଓବାମା ନିଜ କାର୍ଯ୍ୟକାଳ ଜାନୁଆରୀ ୨୧ ସୋମବାରରୁ ଆରମ୍ଭ କରିଥିଲେ । ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଡ୍ୱାଇଟ ଡି ଆଇଜନହାୱର ଏବଂ ରୋନାଲ୍ଡ ରିଗନ୍ ମଧ୍ୟ ଜାନୁଆରୀ ୨୧ରୁ କାର୍ଯ୍ୟଭାର ସମ୍ଭାଳିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *