୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ ଖୋଲା

ଭୁବନେଶ୍ୱର: ଚାଷୀଙ୍କ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କଲେ ମୋହନ ସରକାର। ଏବେ ଧାନ ମଣ୍ଡିରେ ଆଉ ଚାଷୀ ହେବେନି ଡିଲରଙ୍କ ମନମାନିର ଶିକାର। ରାଜ୍ୟରେ ଗତ ୨୦ ତାରିଖରୁ ଖୋଲିଛି ଧାନମଣ୍ଡି। ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି। କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସବୁ ମଣ୍ଡିରେ ସିସିଟିଭି ଅନୁଧ୍ୟାନ ହେବ। କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ଯୋଗାଣ ବିଭାଗ। ଏଥିସହ ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ରୋକିବାକୁ ତୁରନ୍ତ କଠୋର ପଦକ୍ଷେପ ନିଆଯିବ ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ। ଅଭିଯୋଗ ଆସିଲେ ନୋଡାଲ ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ଯିବେ। ସୁରୁଖୁରୁରେ ଧାନ ଉଠିବା ଏବଂ ମଣ୍ଡି ଜନିତ ସମସ୍ୟା ଦୂର କରିବାକୁ ଯୋଗାଣ ବିଭାଗ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଏନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କୌଣସି କଟନିଛଟନି ବିନା କିପରି ମଧ୍ୟସ୍ଥିଙ୍କ ପ୍ରଭାବ ରହିବ ନାହିଁ ସେହି ଉଦ୍ଦେଶ୍ୟରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଏହାଦ୍ୱାରା କୃଷକମାନଙ୍କ ସହ ତଥା ମଣ୍ଡି ଅଫିସରଙ୍କ ସହ ସିଧାସଳଖ ଆଲୋଚନା କରାଯାଇ ପାରିବ । ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଲେଖା ନୋଡ଼ାଲ ଅଫିସର ଅଛନ୍ତି। ସେମାନେ ମଧ୍ୟ ଉକ୍ତ କ୍ୟାମେରାରେ ଆସୁଛନ୍ତି। ଅତ୍ୟାଧୁନିକ ମଡେଲରେ କଣ୍ଟ୍ରୋଲ ରୁମ୍କୁ କରାଯାଇଛି। ରାଜ୍ୟରେ ଯେତେ ମଣ୍ଡି ଅଛି ସେଠାରେ କିପରି ଚାଷୀମାନେ ଧାନ ଦେବେ ଓ ସେମାନଙ୍କ ଆକାଉଣ୍ଟକୁ ଠିକ୍ ଭାବେ ଟଙ୍କା ଯିବ ତାହା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଗତବର୍ଷ ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର। ତେବେ ଗତ ବର୍ଷ ମଣ୍ଡିରେ ଚାଷୀ ଭୋଗିଥିବା ଯନ୍ତ୍ରଣାର ଏଥର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ । ଏଥର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବେଳେ ଦଲାଲମାନେ ଯେପରି ମଣ୍ଡିକୁ ନ ଆସିବେ ସେଥିପାଇଁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *