ନୂଆଦିଲ୍ଲୀ: ଶପଥ ନେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଗୁରୁବାର ସଂସଦରେ ଲୋକ ସଭା ସଦସ୍ୟା ଭାବେ ଶପଥ ନେଇଛନ୍ତି ପ୍ରିୟଙ୍କା । ଏହି ସମୟରେ ତାଙ୍କ ପୁଅ ରେହାନ , ଝିଅ ମିରାୟାଙ୍କ ସମେତ ଭାଇ ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ଉପସ୍ଥିତ ଥିଲେ । ପ୍ରିୟଙ୍କା ୨୦୦୪ ଲୋକ ସଭା ନିର୍ବାଚନରେ ରାଏବରେଲିରେ ସୋନିଆ ଓ ଅମେଠିରେ ରାହୁଲଙ୍କ ପାଇଁ ପ୍ରଚାର କରିଥିଲେ। ଏହାର ୨୦ ବର୍ଷ ପରେ ନିଜେ ସଂସଦରେ ପାଦ ଥାପିଥିବାରୁ ଦଳୀୟ ମହଲରେ ଉତ୍ସାହ ଓ ଉଦ୍ଦୀପନ ଦେଖାଦେଇଛି ।
କେରଳର ୱାୟନାଡ୍ ସଂସଦୀୟ ଆସନରୁ ବିଜୟ ହୋଇଛନ୍ତି ପ୍ରିୟଙ୍କା । ୱାୟନାଡ୍ର କଂଗ୍ରେସ ନେତାମାନେ ବୁଧବାର ନୂଆଦିଲ୍ଲୀ ଗସ୍ତକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରିୟଙ୍କାଙ୍କୁ ଏହି ଆସନରୁ ବିଜୟ ପ୍ରମାଣପତ୍ର ହସ୍ତାନ୍ତର କରିଥିଲେ। ଲୋକ ସଭାରେ ପ୍ରିୟଙ୍କା ପ୍ରବେଶ କରିବା ପରେ ଏବେ ପାର୍ଲାମେଣ୍ଟରେ ଏକସଙ୍ଗେ ନେହେରୁ-ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିବ । ପ୍ରିୟଙ୍କାଙ୍କ ମା’ ସୋନିଆ ଗାନ୍ଧୀ ପୂର୍ବରୁ ରାଜସ୍ଥାନରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କ ଭାଇ ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରତିନିଧିତ୍ୱ କରୁଛନ୍ତି।
ସଂସଦରେ ପ୍ରିୟଙ୍କାଙ୍କ ପ୍ରବେଶ ଏଭଳି ସମୟରେ ହେବାକୁ ଯାଉଛି, ଯେତେବେଳେ କି କଂଗ୍ରେସ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ହାରିଯାଇଛି। ପ୍ରିୟଙ୍କା ଦଳକୁ ପୁନର୍ଗଠନ କରିବାରେ କେତେ ସକ୍ଷମ ହେବେ ତା’ ଉପରେ ନଜର ରହିବ। ସେହିପରି ପାର୍ଲାମେଣ୍ଟ ଭିତରେ ଓ ବାହାରେ ପ୍ରିୟଙ୍କାଙ୍କ ଉପସ୍ଥିତି କଂଗ୍ରେସ ପାଇଁ ଗେମ୍ ଚେଞ୍ଜର ହୋଇପାରେ ବୋଲି ନେତାମାନେ ମନେ କରୁଛନ୍ତି। ବିରୋଧୀ ଦଳର ୫୨ ବର୍ଷୀୟା ନେତ୍ରୀ ପ୍ରିୟଙ୍କାଙ୍କ ଚେହେରାର ସାମଞ୍ଜସ୍ୟ ତାଙ୍କ ଜେଜେମା’ ଇନ୍ଦିରାଙ୍କ ସହ ରହିଛି। ତେଣୁ ସେ ଆଗାମୀ ନିର୍ବାଚନଗୁଡ଼ିକରେ ଏହାକୁ ପୁଞ୍ଜିକରି ନିଜ ଦଳ ପାଇଁ କେତେ ଭୋଟରଙ୍କୁ ଟାଣିପାରୁଛନ୍ତି ତାହା ନିର୍ଣ୍ଣାୟକ ହେବ।