ମୁମ୍ବାଇ: ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାର ୧୦ ଦିନ ପରେ ବି କଳ୍ପନାଜଳ୍ପନା ଲାଗି ରହିଛି। ଏହାକୁ ନେଇ ଏବେ ବି ବିବାଦ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ହେବା ଲାଗି ଦେବେନ୍ଦ୍ର ଫଡ଼ନାବିସ୍, ଏକନାଥ ସିନ୍ଦେ ନା ଅଜିତ୍ ପାୱାର ଏହି ୩ ଜଣଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ନାଁ ଆଗରେ ଅଛି । ହେଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବିଜୟ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୁଟୁନି ଅଡ଼ୁଆ । ଅନ୍ୟପଟେ ଶିବସେନା ନେତା ତଥା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ପଦ ଛାଡିବାକୁ ଚାହୁଁନାହାଁନ୍ତି। ଏମିତି କି ସେ ମୁଖ୍ୟମନ୍ତ୍ରୀ ହେବାକୁ ଇଛା ପ୍ରକାଶ କରିଛନ୍ତି ।
ସିନ୍ଦେ କହିଛନ୍ତି ଯେ, ରାଜ୍ୟବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି। ମୁଁ ଲୋକଙ୍କ ସମସ୍ୟା ଜାଣେ ଏବଂ ସେମାନଙ୍କର କଷ୍ଟ କ’ଣ ମୁଁ ଭଲ ଭାବେ ଜାଣେ । ସେମାନଙ୍କର ସମସ୍ୟାର ସମାଧାନ ପାଇଁ ମୁଁ ସବୁବେଳେ ଚେଷ୍ଟା କରି ଆସିଛି । ସେଥିପାଇଁ ମୁଁ ବିଶ୍ୱାସ କରେ ଯେ ମୁଁ ମୁଖ୍ୟମନ୍ତ୍ରୀ ହେବା ଉଚିତ୍। ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ ତଥା ଭାରତୀୟ ଜନତା ଦଳର ନେତା ପ୍ରବୀଣ ଦରେକର ରବିବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ମହାୟୁତୀରେ କୌଣସି ବିବାଦ ନାହିଁ। ସେଠାରେ ଭଲ ସମନ୍ୱୟ ଏବଂ ତାଳମେଳ ରହିଛି। ବର୍ତ୍ତମାନ ଡିସେମ୍ବର ୫ରେ ମହାୟୁତୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତିନି ଦଳର ନେତାମାନେ ଶପଥ ଗ୍ରହଣ କରିବେ।