ନୂଆଦିଲ୍ଲୀ: ସମ୍ଭଲ ଅଭିମୁଖେ ଯାତ୍ରା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧାବାଟରେ ଅଟକାଇଲା ପୋଲିସ । ଏହି ଯାତ୍ରାକୁ ସଫଳ କରିବାକୁ ଦେଇ ନ ଥିଲା ପୋଲିିସ । ସେମାନଙ୍କୁ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ଅଟକାଇ ଦିଆଯାଇଥିଲା । ଫଳରେ ହାଇ ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳଥିଲା ।
ବୁଧବାର ବିରୋଧୀ ଦଳ ନେତା ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶର ସମ୍ଭଲ ଅଭିମୁଖେ ଯାତ୍ରା କରିଥିଲେ । ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ପୋଲିସ ସେମାନଙ୍କ ଗାଡ଼ିକୁୁ ଅଟକାଇଥିଲା । ପରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ଗାଡିରୁ ବାହାରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତଥାପି ରାହୁଲଙ୍କୁ ଆଗକୁ ବଢ଼ିବାକୁ ଅନୁମତି ମିଳିଲା ନାହିଁ। ପରେ ସୀମାରେ ପ୍ରବଳ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ପୋଲିସ ରାଜପଥକୁ ଅବରୋଧ କରିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ରାସ୍ତାରେ ବ୍ୟାରିକେଡ୍ ରଖାଯାଇ ଟ୍ରାଫିକ୍ ଅଟକା ଯାଇଥିଲା। ଏପଟେ ସ୍ଲୋଗାନ ଦେଇ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।
କଂଗ୍ରେସ ନେତାମାନେ ସକାଳ ପ୍ରାୟ ୧୦.୧୫ରେ ଦିଲ୍ଲୀ ଛାଡି ୧୧ଟା ସମୟରେ ସୀମାରେ ପହଞ୍ଚିଥିଲେ। ହେଲେ ସେମାନଙ୍କର ଦଳ ଆଉ ଆଗକୁ ଯାଇପାରିଲା ନାହିଁ। ସେମାନଙ୍କୁ ଅବରୋଧ କରାଯିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ , ଆମ ଦେଶରେ ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଦୃଷ୍ଟିରେ ରଖି ଆମେ ପୀଡିତଙ୍କ ପରିବାରକୁ ଭେଟିବାକୁ ସ୍ଥିର କରିଛୁ। ୟୁପି ସରକାର ଆମ ପ୍ରତିନିଧୀଙ୍କୁ ସମ୍ଭଲ ପରିଦର୍ଶନ କରିବାକୁ ଅନୁମତି ଦେବା ଉଚିତ୍।
ଉଲ୍ଲେଖଯୋଗ୍ୟ, ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ଉତ୍ତରପ୍ରଦେଶ ପ୍ରଶାସନ କଟକଣା ଲଗାଇଛନ୍ତି। ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲକୁ କୌଣସି ବାହାର ଲୋକ ପ୍ରବେଶ କରିପାରିବେନି ବୋଲି ଉତ୍ତରପ୍ରଦେଶ ପ୍ରଶାସନ କହିଛନ୍ତି।