ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମୁମ୍ବାଇର ଆଜାଦ ପାର୍କରେ ଆୟୋଜିତ ହେବ । ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ମୋଟ ୭୦ ରୁ ଅଧିକ ଭିଭିଆଇପି ନେତା ଯୋଗଦେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା, ରାଜପଥ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ସମେତ ଅନେକ କ୍ୟାବିନେଟ ସହକର୍ମୀଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଏଥିସହିତ
ଦେଶର ୪ ଶହ ସାଧୁ ସନ୍ଥଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।
ଏହା ବ୍ୟତୀତ ମହାରାଷ୍ଟ୍ରର ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ବିଭିନ୍ନ ସମାଜର ପ୍ରତିନିଧୀ ଓ ମହାରାଷ୍ଟ୍ରର ସମସ୍ତ କନସୁଲେଟ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ଏହି ଶପଥ ଗ୍ରହଣ ସମାରୋହରେ ୪ ଶହ ସାଧୁ ସନ୍ଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେମାନଙ୍କ ମଧ୍ୟରେ ଜଗତଗୁରୁ ନରେନ୍ଦ୍ରଚାର୍ଯ୍ୟ ମହାରାଜ, ଗୋବିନ୍ଦଦେବ ଗିରି ଜୀ ମହାରାଜ, ବାଗେଶ୍ୱର ବାବା, ମହାମଣ୍ଡଳେଶ୍ୱର ସ୍ୱାମୀ ବିଶ୍ୱଶବରାନନ୍ଦ ଜୀ ମହାରାଜ, ଜୈନ ସାଧୁ ଲୋକେଶ ମୁନି ଜୀ, ବଞ୍ଜରା ସାଧୁ, ଶିଖ୍ ସାଧୁ, ବୌଦ୍ଧ ସାଧୁମାନେ ରହିବେ। ଏହା ବ୍ୟତୀତ ମହାରାଷ୍ଟ୍ରର ସମସ୍ତ ପ୍ରମୁଖ ମନ୍ଦିରର ମୁଖ୍ୟ ପୁରୋହିତ ମାନଙ୍କୁ ନିମନ୍ତ୍ରଣ ମିଳିଛି, ଯେଉଁମାନଙ୍କ ଭିତରେ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୁରୋହିତ ଏବଂ ମହାକାଳ ମନ୍ଦିରର ମୁଖ୍ୟ ପୁରୋହିତଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି।