ମୁମ୍ବାଇ : ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଗଠନ ହେବ ମହାରାଷ୍ଟ୍ରରେ ନୂଆ ସରକାର । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନଭିସ। ହେଲେ ଏହା ପୂର୍ବରୁ ଦେଖିବାକୁ ମିଳିଛି ପୁଣିି ଏକ ନୂଆ ଡ୍ରାମା। ଯଦି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନେବେ, ତାହାହେଲେ ମହାୟୁତି ସରକାରରେ ଆମେ ମଧ୍ୟ ସାମିଲ ହେବୁ ନାହିଁ ବୋଲି ରୋକ୍ଠୋକ୍ କହିଛି ଶିବସେନା।
ଶପଥ ଗ୍ରହଣ ପୂର୍ବରୁ ଶିବସେନା ବିଧାୟକ ଉଦୟ ସାମନ୍ତ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନ ନିଅନ୍ତି, ତା’ହେଲେ ତାଙ୍କ ଦଳର କୌଣସି ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନାହିଁ। କେହି ବି ମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ। ସେହିପରି ଆଉ ଜଣେ ଶିବସେନା ନେତା ଦୀପକ କେସରକର କହିଛନ୍ତି, ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ କି ନାହିଁ। ଏହାର ଘୋଷଣା ସେ ନିଜେ କରିବେ। ଆମେ ସମସ୍ତେ ଶିନ୍ଦେଙ୍କୁ କହିଛୁ ଯେ ଯଦି ସେ ସରକାରରେ ରୁହନ୍ତି ନାହିଁ ତେବେ ଶିବସେନାରୁ ବି କେହି ରହିବେ ନାହିଁ। କିନ୍ତୁ ଆମେ ଚାହୁଁ ଯେ ସିନ୍ଦେ ସରକାରରେ ରୁହନ୍ତୁ। ତେବେ ମହାରାଷ୍ଟ୍ର କ୍ୟାବିନେଟ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଯେ, କ୍ୟାବିନେଟ ସମ୍ପର୍କରେ ଭାଜପା, ଶିବସେନା ଏବଂ ଏନସିପି ମଧ୍ୟରେ ପ୍ରାୟ ଏକ ସହମତି ହୋଇଛି। କେବଳ ବିଭାଗ ବଣ୍ଟନ ଏବଂ ନାମ ଘୋଷଣା ହୋଇନାହିଁ।