ସଲମାନଙ୍କୁ ପୁଣି ଧମକ

ମୁମ୍ଵାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିସହିତ ସେ ଲଗାତାର ହତ୍ୟା ଧମକ ମଧ୍ୟ ପାଇ ଚାଲିଛନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟରେ ଅଛନ୍ତି ସଲମାନ। ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ପରେ ଲଗାତାର ସେ ଧମକ ପାଉଛନ୍ତି। କିନ୍ତୁ ବୁଧବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହଠାତ୍ ଜଣେ ବ୍ୟକ୍ତି ସଲମାନଙ୍କ ସୁଟିଂ ସେଟ୍ ଭିତରକୁ ପଶିଯାଇ ହତ୍ୟା ଧମକ ଦେବାକୁ ଲାଗିଲେ।

ସେ ଲରେନ୍ସ ବିଷ୍ଣୋଇଙ୍କ ନାମ ନେଇ ଧମକ ଦେଇଥିଲେ। ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି। ଏନେଇ ଜଣେ ଅଧିକାରୀ ଏହି ବିଷୟରେ ସୂଚନା ଦେଇଛନ୍ତି। ସନ୍ଦିଗ୍ଧଙ୍କୁ ତୁରନ୍ତ ଧରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି। ତାଙ୍କୁ ଶିବାଜୀ ପାର୍କ ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି। ବୁଧବାର ରାତିରେ ମୁମ୍ବାଇର ଜୋନ୍ ୫ରେ ଅଭିନେତା ସଲମାନ ଖାନଙ୍କ ସୁଟିଂ ଚାଲିଥିବାର କୁହାଯାଉଛି। ହଠାତ୍ ଜଣେ ସନ୍ଦିଗ୍ଧ ବ୍ୟକ୍ତି ସେଟ୍ ଭିତରକୁ ପ୍ରବେଶ କରିଥିଲେ।

ଏହି ଘଟଣା ଦାଦର ଅଞ୍ଚଳରେ ଘଟିଛି। ସଙ୍ଗେ ସଙ୍ଗେ ଅଧିକାରୀମାନେ ସତର୍କ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପୋଲିସର ସୂଚନାନୁସାରେ, ହଠାତ୍ ଜଣେ ବ୍ୟକ୍ତି ସୁଟିଂ ସେଟରେ ପହଞ୍ଚି କହିଥିଲେ ଯେ ସେ ଶୁଟିଂ ଦେଖିବାକୁ ଚାହୁଁଛନ୍ତି। ଏହା ଉପରେ ସେ ସୁରକ୍ଷା କର୍ମୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ତା’ପରେ ଉକ୍ତ ବ୍ୟକ୍ତି ଲରେନ୍ସଙ୍କ ନାମ ନେଇ ଧମକ ଦେବା ଆରମ୍ଭ କରିଥିଲେ।

ସୂଚନା ଥାଉକି ସଲମାନ ଖାନଙ୍କୁ ମୁମ୍ବାଇ ପୋଲିସ ଠାରୁ Y ପ୍ଲସ କାଟାଗରୀର ସୁରକ୍ଷା ମିଳିଛି। ଏଭଳି ପରିସ୍ଥିତିରେ ସୁରକ୍ଷା କର୍ମୀମାନେ ସବୁବେଳେ ସେମାନଙ୍କ ସହିତ ଉପସ୍ଥିତ ଥାନ୍ତି। ତାଙ୍କ ପ୍ରାଇଭେଟ ବଡିଗାର୍ଡ ଶେରା ମଧ୍ୟ ତାଙ୍କ ସହ ରୁହନ୍ତି। ନିକଟରେ ଶେରା ଭାଇଜାନଙ୍କ ସୁରକ୍ଷା ଉପରେ ଏକ ଅପଡେଟ୍ ଦେଇଥିଲେ। ସେ କହିଥିଲେ ଯେ ଆମେ ୨ୟ ଦିନ ଦୁବାଇରେ ଏକ ସୋ କରିବାକୁ ଯାଉଛୁ। ସୁରକ୍ଷା ବିଷୟରେ କୌଣସି ଚିନ୍ତା ନାହିଁ । ଆମକୁ ମୁମ୍ବାଇ ପୋଲିସ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *