ଭୁବନେଶ୍ୱର: ଆଉ ହେବନି ଯାତ୍ରାରେ ଅଶ୍ଳୀଳ ନୃତ୍ୟ । ଯାତ୍ରାରେ ଚାଲିଥିବା ଏହି ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ। ଯଦି କେହି ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଆଜି ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଯାତ୍ରାରେ ଚାଲୁଥିବା ଅଶ୍ଲୀଳ ନୃତ୍ୟ ଖୁବ୍ ଶୀଘ୍ର ବନ୍ଦ ହେବ। ଏଥିପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ଆଣୁଛନ୍ତି। ଯାତ୍ରା ପାର୍ଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି। ଏହି ପ୍ରସଙ୍ଗରେ କିଛି ଦିନ ତଳେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ନେଇ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି। ଏନେଇ ଯାତ୍ରା ମାଲିକଙ୍କ ସହ ଆଲୋଚନା କରାଯିବ। ଏହି ପ୍ରସଙ୍ଗରେ ଚିନ୍ତା କରି ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକମାନଙ୍କୁ ଅନୁରୋଧ କରିଥିଲେ ଆଇନ ମନ୍ତ୍ରୀ ।