ଭୁବନେଶ୍ୱର : ୩ ବର୍ଷ ଭିତରେ ପୁରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଛି ୧୧୩ କୋଟି ଟଙ୍କା । ବିଭିନ୍ନ ସ୍ଥାନରୁ ଭକ୍ତମାନେ ଶ୍ରୀମନ୍ଦିରକୁ ଦାନ କରିଥାନ୍ତି । କିଏ ସୁନା ଦେଉଥିବା ବେଳେ ଆଉ କିଏ ନଗଦ ଟଙ୍କା କିମ୍ବା ବସ୍ତ୍ର ବା ପତାକା ଦାନ ସୂତ୍ରରେ ପ୍ରଦାନ କରିଥାନ୍ତି । ତିନି ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ପାଖକୁ ଆସିଛି। ୨୦୨୧ ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧ ଶହ ୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା। ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହେଉଛି ସେ ସମ୍ପର୍କରେ ବିଧାନସଭାରେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
୨୦୨୧-୨୨ ରେ ପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ ୮ କୋଟି ୨୩ ଲକ୍ଷ ୧୩ ହଜାର ୧୨୭ ଟଙ୍କା ମିଳିଛି । ସେହିପରି ୨୦୨୨-୨୩ ରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ୧୫୨ ଟଙ୍କା ମିଳିଥିବା ବେଳେ ୨୦୨୩-୨୪ ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ୯୭୪ ଟଙ୍କା ମିଳିଛି। ସେହିପରି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ମିଳିଛି । ସେହିପରି ୨୦୨୨-୨୩ ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ୨୧୬ ଟଙ୍କା ମିଳିଥିବା ବେଳେ ୨୦୨୩-୨୪ ରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ୯୧୮ ଟଙ୍କା ମିଳିଛି।
ସେହିପରି ଅନ୍ୟାନ୍ୟ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ ରେ ୨ କୋଟି ୨୫ ଲକ୍ଷ ୩୧ ହଜାର ୪୯୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୪ କୋଟି ୬୨ ଲକ୍ଷ ୩୪୩ ଟଙ୍କା ମିଳିଛି । ସେହିପରି ୨୦୨୩-୨୪ ରେ ୫ କୋଟି ୭୩ ଲକ୍ଷ ୫୭ ହଜାର ୭୦୧ ଟଙ୍କା ମିଳିଛି ବୋଲିି ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି।