ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ । ଶନିବାର ମୁମ୍ବାଇ ପୁଲିସକୁ ଏକ ହ୍ବାଟସଆପ୍ ଜରିଆରେ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏଆଇର ଦୁଇଜଣ ଏଜେଣ୍ଟ ଏହି ଘଟଣାକୁ ବାସ୍ତବ ରୂପ ଦେବେ ବୋଲି ବାର୍ତ୍ତାରେ ଉଲ୍ଲେଖ କରାଯାଇଛି।
ପ୍ରାଥମିକ ତଦନ୍ତ ଭାବେ ପୁଲିସ ସାଇବର ସେଲ୍ ଜରିଆରେ ମେସେଜ୍ ଆସିଥିବା ନମ୍ବରର ଲୋକେସନ ଟ୍ରାକ୍ କରିବାରେ ସଫଳ ହୋଇଛି। ନମ୍ବରଟିର ଲୋକେସନ ରାଜସ୍ଥାନର ଆଜମେର ବୋଲି ଜଣାପଡିବା ପରେ ତୁରନ୍ତ ପୁଲିସ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛି। ରାଜସ୍ଥାନ ପୁଲିସ ସହାୟତାରେ ମୁମ୍ବାଇ ପୁଲିସ ଦୁର୍ବୃତ୍ତକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚଳାଇଥିବା ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅପରପକ୍ଷରେ ବାର୍ତ୍ତା ପ୍ରେରକ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହୋଇଥିବେ ନଚେତ ମଦ ନିଶାରେ ଏଭଳି ଧମକ ଦେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମୁମ୍ବାଇ ପୁଲିସ ପକ୍ଷରୁ ଅଜଣା ବ୍ୟକ୍ତିଙ୍କ ନାମରେ ଏତଲା ଦାଏର କରାଯାଇଛି। କାରଣ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଅତୀତରେ ଏପରି ଧମକ ମିଳିସାରିଛି। ନିକଟରେ ଏକାଧିକ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡାଇବା ନେଇ କ୍ରମାଗତ ଧମକ ସାୟମିକ ଭାବେ ବିମାନ ସେବାରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି କରିଥିଲା।