ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କ ପ୍ରେମରେ ଉବୁଟୁବୁ ଥିଲେ ଭାଇଜାନ ସଲମାନ ଖାନ୍ । ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କକୁ ନେଇ ସେତେବେଳେ ଚର୍ଚ୍ଚାରେ ଥିଲେ ସେମାନେ । ସଲମାନ ଜୁହିଙ୍କୁ ବିବାହ କରିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ । ହେଲେ ସେମିତି କିଛି ହେଲାନି । ଜୁହି ଓ ସଲମାନ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ଘର ଲୋକ ସାଜିଥିଲେ ବାଧକ । ଶେଷରେ ସେମାନଙ୍କୁ ଅଲଗା ହେବାକୁ ପଡ଼ିଥିଲା । ଏବେ ସଲମାନଙ୍କ ଏକ ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ ହେବା ପରେ ଏହି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ ସଲମାନ, ଜୁହିଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବୋଲି କହୁଥିବା ଦେଖିବାକୁ ମିଳିଛି।
ଜୁହିଙ୍କୁ ବହୁତ ଭଲ ପାଉଥିଲେ ଦବଙ୍ଗ ଷ୍ଟାର ସଲମାନ ଖାନ୍ । ବିବାହ କରିବାକୁ ବି ଚାହୁଁଥିଲେ । ହେଲେ ଜୁହିଙ୍କ ବାପା ରାଜି ହୋଇ ନ ଥିଲେ । ଏହି ଘଟଣାଟି ଘଟିଥିଲା ୧୯୯୦ମସିହାରେ। ଭାଇରାଲ ଭିଡିଓରେ ସଲମାନ କହୁଛନ୍ତି ଯେ, ସେ ଜୁହିଙ୍କ ବାପାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ତାଙ୍କ ବାପା ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। କାହିଁକି ରାଜି ହୋଇ ନ ଥିଲେ ସେ ସମ୍ପର୍କରେ ବି କିଛି କହି ନ ଥିଲେ । ଏହା ପରେ ଜୁହିଁଙ୍କ ବିବାହ ୧୯୯୫ରେ ବ୍ୟବସାୟୀ ଜୟ ମେହତାଙ୍କ ସହ ହୋଇଥିଲା। ତେବେ ଜୁହି ଏବଂ ସଲମାନ, ଅନିଲ କପୁର ଓ ଗୋବିନ୍ଦାଙ୍କ ସହ କମେଡି ଫିଲ୍ମ ଦିୱାନା ମସ୍ତାନା ରେ ଏକାଠି କାମ କରିଥିଲେ। ଡେଭିଡ ଧୱନଙ୍କ ଫିଲ୍ମରେ ସଲମାନଙ୍କର ଏକ କାମିଓ ଥିଲା। ଏହା ପରେ ଜୁହି, ସଲମାନ ଖାନଙ୍କ ରିଆଲିଟି ସୋ ବିଗ୍ ବସରେ ଅତିଥି ଭାବରେ ନଜର ଆସିଥିଲେ।