ନୂଆଦିଲ୍ଲୀ: ଆମ୍ବୁଲାନ୍ସରେ ଭାଇର ମୃତଦେହ ନେବା ପାଇଁ ଭଉଣୀ ପାଖରେ ନ ଥିଲା ଟଙ୍କା । ଯେତେ କାକୁତି ମିନତି ହୋଇଥିଲେ ବି ଆମ୍ବୁଲାନ୍ସ ଡ଼୍ରାଇଭର ନେବାକୁ ରାଜି ହୋଇ ନ ଥିଲେ । ଶେଷରେ ଯୁବତୀ ଜଣକ ଟ୍ୟାକ୍ସି ଛାତ ଉପରେ ମୃତଦେହକୁ ବାନ୍ଧିକି ଘରକୁ ନେଲେ । ତା’ପୁଣି ୧୯୫ କିଲୋମିଟର ଯାଏଁ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ତେବେ ଏହି ଘଟଣା ଚାରିଆଡ଼େ ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏମିତି କି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ଉତ୍ତରାଖଣ୍ଡର ବେରୀନାଗସ୍ଥିତ ଏକ ଗ୍ରାମରେ ୨୨ ବର୍ଷିୟା ଶିବାନୀ ନାମକ ଜଣେ ଯୁବତୀ ତାଙ୍କ ଭାଇ ଅଭିଷେକ (୨୦)ଙ୍କ ସହ ରହୁଥିଲେ । ହଠାତ୍ ଅଭିଷେକଙ୍କ ମୁଣ୍ଡବ୍ୟଥା ହୋଇଥିଲା । ସେ ଗାଁ ନିକଟ ରେଲୱେ ଟ୍ରାକ ପାଖରେ ବେହୋସ ହୋଇ ପଡ଼ିଯାଇଥିଲେ । ସେଠାରୁ ଉଦ୍ଧାର କରାଯାଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ଶିବାନୀଙ୍କୁ ହସ୍ତାନ୍ତର କରିଥିଲା ।
ଭାଇ ଅଭିଷେକର ମୃତଦେହକୁ ଘରକୁ ନେବା ପାଇଁ ଶିବାନୀ ଆମ୍ବୁଲାନ୍ସ ଚାଳକଙ୍କ ସହ କଥା ହୋଇଥିଲେ । ତେବେ ସେମାନେ ୧୦-୧୨ ହଜାର ଟଙ୍କା ଭଡ଼ା ନେବେ ବୋଲି କହିଥିଲେ । ତେବେ ଏତେ ଭଡ଼ା ଦେବା ଶିବାନୀଙ୍କ ପାଖରେ ସମ୍ଭବ ନ ଥିଲା । ତେଣୁ ସେ ଡ଼୍ରାଇଭରଙ୍କୁ କମ ପଇସାରେ ନେବାକୁ କହିଥିଲେ । ହେଲେ ସେ ରାଜି ହୋଇ ନ ଥିଲେ । ଶେଷରେ ଶିବାନୀ ନିଜ ଗାଁରୁ ଏକ ଟ୍ୟାକ୍ସି ଚାଳକଙ୍କୁ ଡକାଇଥିଲେ । ପରେ ମୃତଦେହକୁ ଗାଡ଼ିର ଛାତ ଉପରେ ବାନ୍ଧି ୧୯୫ କିମି ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲେ ।