ନୂଆଦିଲ୍ଲୀ: ସାପ ଦୁନିଆର ସବୁଠାରୁ ଭୟଙ୍କର ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ । ସାପ ଏପରି ଏକ ପ୍ରାଣୀ ଯାହାକୁ ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ଏମିତି କି ଟିଭି ପରଦାରେ ଦେଖିଲେ ବି ଭୟ ଆସିଥାଏ । ଥରେ ଭାବନ୍ତୁ ଯେ, ଯଦି ଆପଣଙ୍କ ସାମ୍ନାକୁ ଅଚାନକ ସାପ ଆସିଯିବ ଆପଣଙ୍କ ଅବସ୍ଥା କ’ଣ ହେବ । ଯେତେ ସାହସୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ଏଭଳି ପରିସ୍ଥିତିର ସାମ୍ନା କଲେ କ’ଣ ହୁଏ ସେ କଥା ଅନୁଭବି ହିଁ ଜାଣେ । କିନ୍ତୁ ଜଣେ ଯୁବତୀଙ୍କୁ କଳା ନାଗ ଗୋଡ଼େଇ ଗୋଡ଼େଇ କାମୁଡ଼ୁଥିବା ଜଣାଯାଇଛି । ୫ ବର୍ଷ ଭିତରେ ୧୧ ଥର କାମୁଡ଼ି ସାରିଲାଣି ସାପ । ଏହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି । ଏମିତି କି ତାଙ୍କୁ ଏକୁଟିଆ ବାହାରକୁ ଛାଡ଼ିବାକୁ ଭୟ ବି କରୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମହୋବା ।
ରୋଶନୀ ନାମକ ଉକ୍ତ ଯୁବତୀ ଜଣକ ମହୋବା ଜିଲ୍ଲା ଚରଖାରି ତହସିଲର ପଞ୍ଚମପୁରା ଗ୍ରାମରେ ରୁହନ୍ତି । ରୋଶନୀଙ୍କ ବାପାଙ୍କ କହିବା କଥା, ୨୦୧୯ ମସିହାରୁ ଏକ ନାଗସାପ ତାଙ୍କ ଝିଅକୁ ଗୋଡାଉଛି। ଦିନେ ରୋଶନି ଜମିରେ କାମ କରୁଥିଲା । ଏହି ସମୟରେ ତାର ଗୋଡ ଏକ କଳାନାଗ ସାପ ଉପରେ ପଡ଼ି ଯାଇଥିଲା। ଫଳରେ ସାପଟି ତାଙ୍କୁ କାମୁଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ । ରୋଶନି ସୁସ୍ଥ ସିନା ହୋଇଗଲା କିନ୍ତୁ ସେହିଦିନ ଠାରୁ ଏଯାବତ କଳାନାଗ ତାକୁ ଗୋଡ଼େଇ ଗୋଡ଼େଇ କାମୁଡ଼ୁଛି । ଗତ ୫ ବର୍ଷରେ ୧୧ଥର କାମୁଡ଼ି ସାରିଲାଣି। ଏମିତି କି ଚିକିତ୍ସା ସମୟରେ ବି ରୋଶନିକୁ ଜିଲ୍ଲା ହସ୍ପିଟାଲରେ ସାପ ଆସି କାମୁଡ଼ିିଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ଚିନ୍ତିତ ହେବା ସହ ଭୋକଶୋଷ ଉଡ଼ିଗଲାଣି।