ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି ମହାକୁମ୍ଭ ମେଳା । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମେଳା ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥର ମହାକୁମ୍ଭରେ ଲକ୍ଷାଧିକ ତୀର୍ଥ ଯାତ୍ରୀ, ସାଧୁସନ୍ଥ, ତପସ୍ୱୀ ଓ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ଆଶା ରଖିଛି ୟୁପି ସରକାର। ବୁଡ ପକାଇବା ପାଇଁ ୪୪ଟି ଘାଟର ବ୍ୟବସ୍ଥା କରିଛି ପ୍ରଶାସନ। ସେହିପରି ସାଧୁସନ୍ଥ ଓ ତୀର୍ଥଯାତ୍ରୀ ନଦୀରେ ବୁଡ ପକାଉଥିବା ସମୟରେ ଆକାଶମାର୍ଗରୁ ଫୁଲ ବର୍ଷା କରାଯିବ । ତୀର୍ଥଯାତ୍ରୀ, ସାଧୁ ସନ୍ଥ ଓ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି। ମେଳାରେ ସାମିଲ ହେବା ପାଇଁ ବିଦେଶର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବି ନିମନ୍ତ୍ରଣ କରାଯାଇଛି। ତେଣୁ ଅଧିକ ଭିଡ଼ ହେବାର ଆଶା କରାଯାଉଛି । ତେଣୁ ଏଥର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭିନ୍ନ ଉପାୟ ଆପଣାଇଛନ୍ତି ସରକାର । ପୋଲିସ ଗାଡ଼ିରେ ନୁହେଁ ଘୋଡ଼ାରେ ବସି କରିବ ପାଟ୍ରୋଲିଂ । ଯେଉଁଠିକି ପୋଲିସ ଗାଡ଼ି ଯାଇପାରିବ ନାହିଁ, ସେଠାକୁ ଘୋଡ଼ାସବାର ପୋଲିସ ପହଞ୍ଚି ତୁରନ୍ତ ଭିଡ଼ ନିୟନ୍ତ୍ରଣ କରିବ।
ମହାକୁମ୍ଭ ୨୦୨୫ରେ ଭିଡ଼ ନିୟନ୍ତ୍ରଣ ପାଇଁ ମେଳାରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଘୋଡ଼ାସବାର ପୋଲିସଙ୍କୁ ନିୟୋଜିତ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଉତ୍ତରପ୍ରଦେଶର ଘୋଡ଼ାସବାର ପୋଲିସଙ୍କୁ ଉଭୟ ଜଳ ଏବଂ ସ୍ଥଳଭାଗରେ ନିୟୋଜିତ କରାଯିବ। ଯେଉଁଠାରେ ପୋଲିସ୍ କର୍ମଚାରୀ ପାଦରେ ପହଞ୍ଚି ପାରିବେ ନାହିଁ, ସେଠାରେ ଘୋଡ଼ାସବାର ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବେ।
ପୋଲିସ୍ ପାଟ୍ରୋଲିଂ ପାଇଁ ମେଳାରେ ୧୩୦ ଘୋଡ଼ା ଏବଂ ୧୬୬ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭାରତୀୟ ପ୍ରଜାତିର ଘୋଡ଼ା ସହିତ ଆମେରିକୀୟ ଏବଂ ଇଂଲଣ୍ଡ ପ୍ରଜାତିର ଘୋଡ଼ାମାନେ ମହାକୁମ୍ବରେ ଭିଡ଼ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବେ। ଡ୍ୟୁଟିରେ ନିୟୋଜିତ ଘୋଡ଼ାମାନଙ୍କର ଖାଦ୍ୟ ଏବଂ ଚିକିତ୍ସା ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯିବ ।
ଘୋଡ଼ାମାନଙ୍କୁ ଏକ ବିଶେଷ ଢଙ୍ଗରେ ତାଲିମ ଦିଆଯାଇଛି। ଘୋଡ଼ାମାନଙ୍କୁ ମୋରାଦାବାଦ ଏବଂ ସୀତାପୁର ତାଲିମ କେନ୍ଦ୍ରରେ ତାଲିମ ଦିଆଯାଇଛି। ମହାକୁମ୍ଭକୁ ଦୃଷ୍ଟିରେ ରଖି ଘୋଡ଼ାସବାର ପୁଲିସଙ୍କୁ ବିଶେଷ ତାଲିମ ଦିଆଯାଇଛି । ଏହା ଦ୍ୱାରା ସେମାନେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରି ପାରିବେ। ମହାକୁମ୍ବ ମେଳା ପାଇଁ ଆମେରିକୀୟ ବାମ ବ୍ଲଡ ଏବଂ ଇଂଲଣ୍ଡର ଥ୍ରୋ ପ୍ରଜାତିର ଘୋଡ଼ା କ୍ରୟ କରାଯାଇଛି। ଏହା ବ୍ୟତୀତ ଭାରତୀୟ ପ୍ରଜାତିର ଘୋଡ଼ା ମଧ୍ୟ ଅଛନ୍ତି। ଏହି ଘୋଡ଼ାମାନଙ୍କ ମଧ୍ୟରୁ କେତେକ ମଧ୍ୟ ସେନାଠାରୁ କିଣାଯାଇଛି। ପ୍ରତିଦିନ ଘୋଡ଼ାସବାର ପୋଲିସ ସକାଳ ଓ ସନ୍ଧ୍ୟାରେ ମେଳା ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ଯାଇ କୁମ୍ଭମେଳା ଅଞ୍ଚଳର ଭୌଗୋଳିକ ଅବସ୍ଥା ସହିତ ଘୋଡ଼ାମାନଙ୍କୁ ପରିଚିତ କରାଉଛନ୍ତି। ଘୋଡ଼ାମାନଙ୍କ ପାଇଁ ତିନି ଜଣ ପ୍ରାଣୀ ଚିକିତ୍ସକ ମଧ୍ୟ ନିଯୁକ୍ତ ହୋଇଛନ୍ତି।