ନୂଆଦିଲ୍ଲୀ: ରାସ୍ତାକଡ ପୋଲ ତଳେ ବସିଛନ୍ତି ଜଣେ ଯୁବକ । ପିନ୍ଧିଛନ୍ତି ଫଟାଚିରା ଡ଼୍ରେସ । ହାତରେ ଧରିଛନ୍ତି ଏକ ଭଙ୍ଗା ପାତ୍ର। ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ହାତ ପାତି ଭିକ ମାଗୁଛନ୍ତି । କିଛି ଲୋକ ତାଙ୍କୁ ଖୁସିରେ ଦାନ କରୁଥିବା ବେଳେ ଆଉ କିଛି ଅଣଦେଖା କରି ମୁହଁ ବୁଲାଇ ଚାଲି ଯାଉଥିବା ଦେଖିବାକୁ ମିଳିଛି । ଏଥିରେ ଯୁବକ ଜଣକ ମନ ଉଣା ନ କରି ବସି ରହୁଛନ୍ତି । ଏପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ୨୪ ଘଣ୍ଟା ଭିକ ମାଗିବାର ଚ୍ୟାଲେଞ୍ଜ ଲଗାଇଛନ୍ତି ।
ନିକଟରେ ପଶ୍ଚିମବଙ୍ଗର ପନ୍ଥ ଦେବ ନାମକ ଜଣେ ଯୁବକ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି ଭିକାରି ହେବାର ଚ୍ୟାଲେଞ୍ଜ ଲଗାଇବା । ଯୁବକଙ୍କ ଚ୍ୟାଲେଞ୍ଜ ଥିଲା ଗୋଟିଏ ଦିନରେ ସେ ଭିକ ମାଗି କେତେ ଟଙ୍କା ସଂଗ୍ରହ କରିପାରିବେ। ପନ୍ଥ ଦେବ ନିଜର ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ‘୨୪ଘଣ୍ଟା ଭିକ ମାଗିବାର ଚ୍ୟାଲେଞ୍ଜ’ ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି , ପନ୍ଥ ଫଟା ଟିସାର୍ଟ ସହିତ ଜିନ୍ସ ପିନ୍ଧି ପୋଲ ତଳେ ବସିଛନ୍ତି । ହାତରେ ଏକ ପାତ୍ର ଧରି ଭିକ ମାଗୁଛନ୍ତି । ଏହି ସମୟରେ ବାଟରେ ଯାଉଥିବା ଲୋକଙ୍କ ମଧ୍ୟରୁ କିଏ ତାଙ୍କୁ ଟଙ୍କା ଦେଉଥିବା ବେଳେ ଆଉ କେହି ଅଣଦେଖା କରି ଦେଇ ଚାଲି ଯାଉଛନ୍ତି। ଧୀରେଧୀରେ ସମୟ ଗଡି ଚାଲିଥିଲା । ହେଲେ ସେ ଲୋକଙ୍କୁ ଭିକ ମାଗିବା ଜାରି ରଖିଥିଲେ। ସନ୍ଧ୍ୟା ହେବାରୁ ପନ୍ଥ ଦିନକ ଭିତରେ ତାଙ୍କ ଭିକ୍ଷାପାତ୍ରରେ ସର୍ବମୋଟ ୩୪ଟଙ୍କା ସଂଗ୍ରହ କରିଥିଲେ। ଏହି ଟଙ୍କାକୁ ସେ ନିକଟରେ ବସିଥିବା ଜଣେ ମହିଳା ଭିକାରିଙ୍କୁ ଦାନ କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ ।
ଏହି ଭିଡିଓଟି ଦେଖିବା ପରେ ଅନେକ ଯୁବକଙ୍କ ଉଦ୍ୟମକୁ ପ୍ରଶଂସା କରିଥିବା ବେଳେ ଆଉ କିଏ ନାପସନ୍ଦ କରିଛନ୍ତି । ଅନେକ ଏହାକୁ ପବ୍ଲିସିଟି ପାଇଁ ଏପରି କରିଥିବା କହୁଥିବା ବେଳେ ଅନ୍ୟମାନେ ଯୁବକ ମହିଳା ଭିକାରିଙ୍କୁ ଭିକ ମାଗି ସଂଗ୍ରହ କରିଥିବା ଟଙ୍କାକୁ ଦାନ କରିଦେଇଥିବା କାମକୁ ପ୍ରଶଂସା କରୁଛନ୍ତି। ବାସ୍ତାବରେ ପନ୍ଥ ଦେବ ଜଣେ ୟ୍ୟୁଟୁବ୍ ବ୍ଲଗର। ତାଙ୍କର ୨,୫୦୦ରୁ ଅଧିକ ଅନୁଗାମୀ ରହିଛନ୍ତି। ଏଯାବତ ସେ ୧୮୦ରୁ ଅଧିକ ପୋଷ୍ଟ ସେୟାର କରି ସାରିଛନ୍ତି। ତାଙ୍କର ଏପରି ଅନେକ ଭିନ୍ନ ଭିନ୍ନ ଭିଡ଼ିଓକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି ।