ନୂଆଦିଲ୍ଲୀ: ଏଣିକି ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ୨୧୦୦ ଟଙ୍କା । ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିିୱାଲ ଏହି ଘୋଷଣା କରିଛନ୍ତି । ଦିଲ୍ଲୀର ମହିଳାମାନଙ୍କୁ ଆପ୍ ସରକାର ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପୂରଣ ହୋଇଛି । କେଜ୍ରିିୱାଲ ‘ମହିଳା ସମ୍ମାନ ଯୋଜନା’ ଘୋଷଣା କରିଛନ୍ତି । ଏହି ଯୋଜନା ଦିଲ୍ଲୀ କ୍ୟାବିନେଟ ବୈଠକରେ ଅନୁମୋଦିତ ବି ହୋଇଛି । ଏହି ଯୋଜନା ଅଧୀନରେ ସରକାର ପ୍ରତି ମାସରେ ଏକ ହଜାର ଟଙ୍କା ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ । କେବଳ ଏତିକି ନୁହେଁ, ନିର୍ବାଚନ ପରେ ମହିଳାମାନଙ୍କୁ ୧୦୦୦ଟଙ୍କା ବଦଳରେ ୨୧୦୦ଟଙ୍କା ଦିଆଯିବ । ଆସନ୍ତାକାଲିଠାରୁ ମହିଳାମାନେ ଏହି ଯୋଜନା ପାଇଁ ପଞ୍ଜୀକୃତ କରିପାରିବେ ।
ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆଜି ମୁଁ ଦୁଇଟି ବଡ ଘୋଷଣା କରିବାକୁ ଯାଉଛି । ଏହା ଦିଲ୍ଲୀର ମା’ ଏବଂ ଭଉଣୀମାନଙ୍କ ପାଇଁ । ଆମେ ପ୍ରତି ମାସରେ ପ୍ରତିଶ୍ରୁତି ଦେଇଥିଲୁ ଯେ, ଆମେ ମହିଳାଙ୍କ ଆକାଉଣ୍ଟରେ ୧୦୦୦ ଟଙ୍କା ଜମା କରିବୁ । ଆଜି କ୍ୟାବିନେଟ ଏହାକୁ ପାସ କରିସାରିଛି । ମହିଳାମାନଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ ପଡିବ । ଥରେ ପଞ୍ଜୀକୃତ ହୋଇଗଲେ, ପ୍ରତି ମାସରେ ହଜାରେ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିବ ।
ଆମେ ଗତ ଏପ୍ରିଲରେ ଏହା ଆରମ୍ଭ କରିବାକୁ ଯାଉଥିଲୁ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଲୋକମାନେ ମୋତେ ଭୁଲ ମାମଲାରେ ଜେଲକୁ ପଠାଇ ଦେଇଥିଲେ । ମୁଁ ୬-୭ ମାସ ଜେଲରେ ରହିଥିଲି । ବାହାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଆତିଶୀ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ବହୁତ ସାହାଯ୍ୟ କରିଥିଲେ । ଆଜି ଏହା କାର୍ଯ୍ୟକାରୀ ହୋଇଛି । ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରାୟ ୬୭ ଲକ୍ଷ ମହିଳା ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୩୮ ଲକ୍ଷ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ ।