ମୁମ୍ବାଇ: ବାଜିଗରରୁ ଅଭିନୟ ଜଗତରେ ବାଜିମାତ କରିଥିବା ନାୟକ ହେଉଛନ୍ତି ବଲିଉଡ଼ କିଙ୍ଗ୍ ଖାନ୍ ଶାହାରୁଖ ଖାନ। ୯୦ ଦଶକରୁ ଆଜି ଯାଏଁ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅଭିନୟ ଜଗତ ବାଦଶାହ ଭାବେ ପରିଚିତ । ଶାହାରୁଖଙ୍କ ଦେଶ ତଥା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି । ଆଉ ତାଙ୍କର ଟିକେ ଝଲକ ଦେଖିବା ପାଇଁ କଠିନ୍ ପରିଶ୍ରମ କରିବା ସହ ସବୁ ସୀମା ପାର କରି ଦେଇଥାନ୍ତି । ଗତ ୨ ତାରିଖରେ ସୁପରଷ୍ଟାର ତାଙ୍କର ୫୯ ତମ ଜନ୍ମଦିନ ପାଳନ କରିଛନ୍ତି । ହେଲେ ସୁରକ୍ଷା ଦୃଷ୍ଟିରୁ ଶାହାରୁଖ ଖାନ ମୁମ୍ବାଇର ତାଙ୍କ ବଙ୍ଗଳା ମନ୍ନତ ବାହାରେ ଏଥର ଫ୍ୟାନ୍ସଙ୍କୁ ଭେଟିବା ପାଇଁ ଆସି ନଥିଲେ । ହେଲେ କିଙ୍ଗ୍ ଖାନ ନିଜର ଜଣେ ଖାସ୍ ପ୍ରଶଂସକଙ୍କୁ ନିରାଶ କରି ନାହାଁନ୍ତି । ସେଭଳି ଜଣେ ପ୍ରଶଂସକଙ୍କ ଖବର ସାମ୍ନାକୁ ଆସିଛି, ଯିଏ ଶାହରୁଖଙ୍କୁ ଭେଟିବା ପାଇଁ ୯୫ଦିନ ଯାଏ ତାଙ୍କ ଘର ମନ୍ନତ ବାହାରେ ଅପେକ୍ଷା କରିଥିଲେ। ୯୫ଦିନର ଅପେକ୍ଷା ପରେ ଶେଷରେ ସେ ତାଙ୍କର ପ୍ରିୟ ଅଭିନେତାଙ୍କୁ ଭେଟିବାକୁ ସକ୍ଷମ ହୋଇଛନ୍ତି । ବର୍ତ୍ତମାନ ଶାହାରୁଖଙ୍କ ସହ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ନଭେମ୍ବର ୨ରେ ଶାହାରୁଖ ଖାନ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନରେ ସେ ଦେଶ ତଥା ବିଦେଶର ପ୍ରଶଂସକଙ୍କଠାରୁ ଅନେକ ଶୁଭେଚ୍ଛା ଗ୍ରହଣ କରିଥିଲେ। କିନ୍ତୁ ୯୫ଦିନ ଧରି ଅପେକ୍ଷା କରିଥିବା ଏହି ପ୍ରଶଂସକ ଲାଇମଲାଇଟକୁ ଆସିଥିଲେ। ଝାରଖଣ୍ଡର ଜଣେ ଯୁବକ ଶାହାରୁଖଙ୍କୁ ଏତେ ଭଲ ପାଆନ୍ତି ଯେ, ତାଙ୍କୁ ଭେଟିବା ପାଇଁ ନିଜର କମ୍ପ୍ୟୁଟର ସେଣ୍ଟର ବନ୍ଦ କରି ମୁମ୍ବାଇ ଆସିଥିଲେ । ୯୫ ଦିନ ଅପେକ୍ଷା କରିବା ପରେ ଶେଷରେ ତାଙ୍କର ଇଛା ପୂରଣ ହୋଇଛି । ଶାହାରୁଖ ଏହି ଯୁବକଙ୍କ ପାଖକୁ ଆସି ତାଙ୍କୁ ଭେଟିଛନ୍ତି । ତାଙ୍କ ସହ ଫଟୋ ବି ଉଠାଇଥିଲେ, ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ବଲିଉଡର ସୁପରଷ୍ଟାର ଶାହରୁଖ ନିଜ ଅଭିନୟ ଯାତ୍ରା ଟିଭି ପରଦାରୁ ଆରମ୍ଭ କରିଥିଲେ। ଦିଲ ଦରିୟା, ଉମିଦ ଓ ଫୌଜୀ ଭଳି ଟିଭି ସିରିଏଲରେ ପ୍ରଥମେ କାମ କରିଥିଲେ। ପରେ ବଲିଉଡ଼ରେ ନିଜର କମାଲ ଦେଖାଇ ଆସିଛନ୍ତି । ଏବେ ମଧ୍ୟ ତାଙ୍କର ଫିଲ୍ମ ପରଦାକୁ ଆସିଲେ ଫ୍ୟାନ ମାନେ ଦେଖିବା ପାଇଁ ପାଗଳ ହୋଇଯାଇଥାନ୍ତି । ଯବାନ, ପଠାନ, ଦୀଲୱାଲେ ଦୁଲହନୀୟା ଲେ ଜାୟେଙ୍ଗେ, ଚକଦେ ଇଣ୍ଡିଆ ଏପରି ବହୁ ଚର୍ଚ୍ଚିତ ସିନେମାର ମୁଖ୍ୟ ନାୟକ ଭାବେ ନିଜର ଅଭିନୀତ ଚରିତ୍ରକୁ ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ଛାପ ଛାଡି ଦେଇଛନ୍ତି। ଶାହରୁଖ ନିଜକୁ କେବଳ ଅଭିନୟ ଭିତରେ ସୀମିତ ରଖିନାହାନ୍ତି। ରେଡ ଚିଲିସ ଏଣ୍ଟରଟେନମେଣ୍ଟ ଜରିଆରେ ସିନେମାର ପ୍ରଡକ୍ସନ ଦୁନିଆରେ ମଧ୍ୟ ସଫଳତା ହାସଲ କରିଛନ୍ତି।