ୱାଶିଂଟନ : ଚାଲିଗଲେ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ । ସୋମବାର ସକାଳେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ ଗମ୍ଭୀର ହୃଦ୍ରୋଗରେ ପୀଡିତ ହୋଇ ଆମେରିକାର ସାନ ଫ୍ରାନ୍ସିସ୍କୋସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ରାଜୀବର୍ଦ୍ଧନ ସିଂ ରାଠୋର ହୁସେନ୍ଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଏକ୍ସରେ ପୋଷ୍ଟ କରି ସମବେଦନା ଜଣାଇଛନ୍ତି। ସେହିପରି ତବଲା ମାଷ୍ଟ୍ରୋ ହୁସେନ୍ଙ୍କ ମୃତ୍ୟୁକୁ ନେଇ କୃଷି ମନ୍ତ୍ରୀ ଶିବରାଜ ସିଂ ଚୋୖହ୍ୱାନଙ୍କୁ ସମବେଦନା ଜଣାଇଛନ୍ତି। ହୁସେନଙ୍କ ବନ୍ଧୁ ତଥା ବଂଶୀବାଦକ ରାକେଶ ଚୌରାସିଆ କହିଛନ୍ତି ଯେ, ଜାକିର ହୁସେନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଗତ ସପ୍ତାହରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତ ସପ୍ତାହରେ ହୃଦ୍ ଜନିତ ସମସ୍ୟା ପାଇଁ ତାଙ୍କୁ ସାନ୍ ଫ୍ରାନ୍ସିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଥିଲା । ଅନ୍ୟପକ୍ଷରେ ତବଲା ବାଦକଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ସୁନ୍ଦର ଗଛର ପୋଷ୍ଟ୍ କରି ସେଥିରେ ଲେଖିଛନ୍ତି, ‘ଏକ ଆଶ୍ଚର୍ଯ୍ୟଜନକ ମୁହୂର୍ତ୍ତକୁ ସେୟାର କରୁଛି’। ଏହି ପୋଷ୍ଟ୍ଟି ତାଙ୍କର ୬ ସପ୍ତାହ ତଳର।
ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ଅବଦାନ ଅତୁଳନୀୟ । ନିଜର ଅସାଧାରଣ ପ୍ରତିଭା ପାଇଁ ସେ ଗତ କିଛି ବର୍ଷ ମଧ୍ୟରେ ଅନେକ ପୁରସ୍କାର ପାଇଛନ୍ତି । ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ଭାରତର ଅନ୍ୟତମ ପ୍ରସିଦ୍ଧ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କ ମଧ୍ୟରୁ ଜାକିର ହୁସେନ ୧୯୮୮ ରେ ପଦ୍ମଶ୍ରୀ, ୨୦୦୨ ରେ ପଦ୍ମ ଭୂଷଣ ଏବଂ ୨୦୨୩ ରେ ପଦ୍ମଭୂଷଣ ଗ୍ରହଣ କରିଥିଲେ। ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ ଆଣ୍ଡୋମେଣ୍ଟ ଫର ଦି ଆର୍ଟସ ପକ୍ଷରୁ ନ୍ୟାସନାଲ ହେରିଟେଜ୍ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।