ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିର ଗୁଡ଼ିକର ଅଭାବ ନାହିଁ। ଏହି ରହସ୍ୟମୟ ମନ୍ଦିରଗୁଡ଼ିକର ଇତିହାସ ବି କାହାକୁ ମଧ୍ୟ ଜଣାନାହିଁ । ଏହିପରି ଗୋଟିଏ ମନ୍ଦିର ଉତ୍ତରାଖଣ୍ଡର ଶ୍ରୀନଗରଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ ପ୍ରତିଦିନ ଏକ ଚମତ୍କାର ଘଟଣା ଘଟେ । ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବାସ୍ତବରେ, ଏହି ମନ୍ଦିରରେ ଉପସ୍ଥିତ ଥିବା ମାତାଙ୍କ ମୂର୍ତ୍ତି ଦିନକୁ ତିନିଥର ଏହାର ରୂପ ପରିବର୍ତ୍ତନ କରିଥାଆନ୍ତି । ଏହି ପ୍ରତିମା ସକାଳେ ଏକ କୁନି ଶିଶୁ, ପରେ ଅପରାହ୍ନରେ ଜଣେ ଯୁବତୀ ଏବଂ ସନ୍ଧ୍ୟାରେ ଜଣେ ବୃଦ୍ଧାଙ୍କ ପରି ଦେଖାଯାଆନ୍ତି । ଏହି ଦୃଶ୍ୟ ବାସ୍ତବରେ ଆଶ୍ଚର୍ଯ୍ୟଜନକ ଅଟେ ।
ଏହି ମନ୍ଦିର ଧାରୀ ଦେବୀ ମନ୍ଦିର ଭାବରେ ଜଣାଶୁଣା । ଏହି ମନ୍ଦିରଟି ଏକ ହ୍ରଦ ମଝିରେ ଅବସ୍ଥିତ । ଦେବୀ କାଳୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ମନ୍ଦିର ବିଷୟରେ ବିଶ୍ୱାସ କରାଯାଏ ଯେ ଏଠାରେ ଉପସ୍ଥିତ ଥିବା ମାତା ଧାରୀ ଉତ୍ତରାଖଣ୍ଡର ଚାରିଧାମକୁ ସୁରକ୍ଷା ଦିଅନ୍ତି। ଏହି ମାତା ପର୍ବତ ଏବଂ ତୀର୍ଥଯାତ୍ରୀଙ୍କ ରକ୍ଷକ ଦେବୀ ଭାବରେ ପରିଗଣିତ ହୁଅନ୍ତି। ପୌରାଣିକ କଥା ଅନୁଯାୟୀ, ଥରେ ପ୍ରବଳ ବନ୍ୟା ଦ୍ୱାରା ମନ୍ଦିର ଧୋଇ ହୋଇଗଲା। ଏକାସାଙ୍ଗରେ ଏଥିରେ ଉପସ୍ଥିତ ଥିବା ମାତାଙ୍କ ମୂର୍ତ୍ତି ମଧ୍ୟ ଧୋଇ ହୋଇଯାଇଥିଲା ଏବଂ ଧରୋ ଗ୍ରାମ ନିକଟରେ ଏକ ପଥର ସହ ଧକ୍କା ହେବା ପରେ ଏହା ଅଟକି ଥିଲା। କୁହାଯାଏ ଯେ ସେହି ମୂର୍ତ୍ତିରୁ ଏକ ଇଶ୍ୱରୀୟ ସ୍ୱର ଉତ୍ପନ୍ନ ହୋଇଥିଲା ଯାହା ଗ୍ରାମବାସୀଙ୍କୁ ସେହି ସ୍ଥାନରେ ପ୍ରତିମା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ପରେ ଗ୍ରାମବାସୀମାନେ ସେଠାରେ ମାତାଙ୍କ ମନ୍ଦିର ନିର୍ମାଣ କରିଥିଲେ।
ପୁରୋହିତଙ୍କ କହିବାନୁସାରେ, ଦ୍ୱାପର ଯୁଗ ପରଠାରୁ ମନ୍ଦିରରେ ମା ଧାରୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। କୁହାଯାଏ ଯେ ୨୦୧୩ ମସିହାରେ ମା ଧାରୀଙ୍କ ମନ୍ଦିର ଭାଙ୍ଗି ଦିଆଯାଇଥିଲା ଏବଂ ତାଙ୍କର ମୂର୍ତ୍ତି ମୂଳ ସ୍ଥାନରୁ ହଟାଇ ଦିଆଯାଇଥିଲା, ସେହି କାରଣରୁ ଉତ୍ତରାଖଣ୍ଡରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ଜୁନ୍ ୧୬, ୨୦୧୩ ସନ୍ଧ୍ୟାରେ ମାତା ଧାରୀ ଦେବୀଙ୍କ ପ୍ରତିମାକୁ ହଟାଇ ଦିଆଯାଇଥିଲା । ଆଉ ପ୍ରତିମା ହଟାଇବାର କିଛି ଘଣ୍ଟା ପରେ ରାଜ୍ୟରେ ଭୟଙ୍କର ବିପର୍ଯ୍ୟୟ ଘଟିଥିଲା। ପରେ ସେହି ସ୍ଥାନରେ ପୁନର୍ବାର ମନ୍ଦିର ନିର୍ମାଣ କରାଯାଇଥିଲା।
ମାଆଙ୍କ ଏହି ମନ୍ଦିର ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ମାଆଙ୍କର ଏହି ଭିନ୍ନ ସ୍ୱରୂପ ସତରେ ବାସ୍ତବିକ ଏବଂ ଏଠାରେ ଭକ୍ତଙ୍କ ଆସ୍ଥା ଓ ବିଶ୍ୱା ସ ଯୋଡ଼ି ହୋଇ ରହିଛି। ମାଆଙ୍କ ଏହି ଦିବ୍ୟ ସ୍ୱରୁପ ଦର୍ଶନ କରିବାକୁ ବହୁ ଦୂର ଦୁରାନ୍ତରୁ ଭକ୍ତ ଆସନ୍ତି। ତେବେ ଯଦି ଆପଣ ଏହି ମନ୍ଦିରରେ ମାଆଙ୍କ ସାକ୍ଷାତ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଥରେ ବୁଲି ଆସନ୍ତୁ।