ରାଞ୍ଚି: ବିଭିନ୍ନ ରାଜ୍ୟରେ ଏବେ ଶୀତ ଲହରି ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପ୍ରବଳ ଶୀତ ଯୋଗୁ ଲୋକେ ଘରୁ ବାହାରିବା ସମ୍ଭବ ହୋଇ ନ ଥାଏ । ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏବେ ଝାରଖଣ୍ଡରେ ପ୍ରବଳ ଶୀତ ଯୋଗୁ ମଣ୍ଡପରେ ବର ହେଲେ ବେହୋସ । ଏପରି ଦେଖି କନ୍ୟା ଜଣକ ଆଉ ବିବାହ କରିବେ ନାହିଁ ବୋଲି ରୋକ୍ଠୋକ ମନା କରି ଦେଇଛନ୍ତି । ଶେଷରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି । ଶୀତ ପାଇଁ ଯୁବକଙ୍କ ବିବାହ ଭାଙ୍ଗିଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଅଜବ ଘଟଣା ଘଟିଛି ଝାଡ଼ଖଣ୍ଡ ଦେବଘର ଜିଲ୍ଲା ମୋହନପୁର ବ୍ଲକ୍ ଅଞ୍ଚଳ ଘୋରମାରାରେ । ଘୋରମାରା ନିବାସୀ ଅର୍ଣ୍ଣବଙ୍କର ଅଙ୍କିତା ନାମକ ଏକ ମହିଳାଙ୍କ ସହ ବିବାହ ଠିକ୍ ହୋଇଥିଲା । ଉଭୟ ବର ଏବଂ କନ୍ୟା ପକ୍ଷଙ୍କ ସହମତିରେ ଏକ ଘରୋଇ ଗାର୍ଡେନ୍ କ୍ୟାମ୍ପସରେ ବିବାହ ଉତ୍ସବ ଆୟୋଜିତ ହେଉଥିଲା । ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ଉଭୟ ବର- କନିଆ ପରସ୍ପରକୁ ବରଣମାଳା ମଧ୍ୟ ପିନ୍ଧାଇଲେ । ଏହା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା । କିନ୍ତୁ ମଣ୍ଡପରେ ହଠାତ ବର ବେହୋସ ହୋଇ ପଡ଼ିଯାଇଥିଲା । ସେଠାରେ ଉପସ୍ଥିତ କନ୍ୟା ଘର ଲୋକ ଓ ଉପସ୍ଥିତ ଅତିଥିଙ୍କୁ ଏହା ଚକିତ କରିଥିଲା ।
ପ୍ରବଳ ଶୀତ ଯୋଗୁ ଅର୍ଣ୍ଣବଙ୍କ ହାତ ଗୋଡ଼ ଥଣ୍ଡା ପଡ଼ିଯାଇଥିଲା । ପରିବାର ଲୋକେ ତାଙ୍କୁ ନେଇ ହାତ ଗୋଡ଼ ମାଲିସ କରିଥିଲେ । ପରେ ଏକ ସ୍ଥାନୀୟ ଡାକ୍ତରଙ୍କୁ ଖବର ଦିଆଯିବା ପରେ ସେ ଆସି ଅର୍ଣ୍ଣବଙ୍କ ସ୍ଥିତି ଯାଞ୍ଚ୍ କରିଥିଲେ । ପ୍ରବଳ ଶୀତ ଯୋଗୁ ଏପରି ହୋଇଥିବା ଡ଼ାକ୍ତର କହିଥିଲେ । ପ୍ରାୟ ୧ରୁ ଦେଢ଼ ଘଣ୍ଟା ପରେ ବରର ସ୍ୱାସ୍ଥ୍ୟବସ୍ଥା ଠିକ୍ ହୋଇଥିଲା । ହେଲେ ବର ମଣ୍ଡପକୁ ଆସିବା ପରେ କନ୍ୟା ବିବାହ ପାଇଁ ରୋକଠୋକ୍ ମନା କରିଦେଇଥିଲେ । କନ୍ୟା ଜଣଙ୍କ ତାଙ୍କ ମତରେ ଦର୍ଶାଇଥିଲେ କି ବରକୁ ନିଶ୍ଚିତ କୌଣସି ରୋଗ ରହିଛି ।
ଏହା ପରେ ଉଭୟ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଶେଷରେ ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନର ବାଟ ଫିଟାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହେଲା । ଶେଷରେ ବର ପକ୍ଷଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା ।