ମେଲବର୍ଣ୍ଣ: ବିମାନବନ୍ଦରରେ ସାମ୍ବାଦିକାଙ୍କ ଉପରେ ରାଗିଗଲେ କ୍ରିକେଟର ବିରାଟ କୋହଲି । ଏହାର ଏକ ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହା ଦେଖିବା ପରେ ବିରାଟଙ୍କ ଏପରି ବ୍ୟବହାରକୁ ତାଙ୍କର ପ୍ରଶଂସକମାନେ ନାପସନ୍ଦ କରିଛନ୍ତି ।
ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ (ବକ୍ସିଂ ଡେ’) । ଏଥିଲାଗି ଗୁରୁବାର ଭାରତୀୟ ଦଳ ମେଲବର୍ଣ୍ଣରେ ପହଞ୍ଚିଥିଲା। ବିରାଟ ତାଙ୍କ ପରିବାର ସଦସ୍ୟଙ୍କ ସହ ମେଲବର୍ଣ୍ଣ ବିମାନବନ୍ଦରରେ ପହଞ୍ଚିଥିଲେ । ସେ ତାଙ୍କ ପତ୍ନୀ ଓ ପିଲାମାନଙ୍କ ସହ ବିମାନବନ୍ଦରରୁ ବାହାରକୁ ଆସିବା ସମୟରେ ସେମାନଙ୍କର ଫଟୋ ଜଣେ କ୍ୟାମେରାମ୍ୟାନ ଉଠାଇଥିଲେ । ବିରାଟ ଏହା ଦେଖିବା ପରେ ଫଟୋ ନ ଉଠାଇବାକୁ ମନା କରିଥିଲେ । ହେଲେ କ୍ୟାମେରାମ୍ୟାନ ଜଣକ ତାଙ୍କର କୌଣସି କଥା ଶୁଣି ନ ଥିଲେ ।
ପରେ ପୁଣି ଫଟୋ ଉଠାଇବାକୁ ଲାଗିଥିଲେ । ପରେ ବିରାଟ ରାଗିଯାଇ ସାମ୍ବାଦିକାଙ୍କୁ ତାଙ୍କ କ୍ୟାମେରାମ୍ୟାନକୁ ବାରଣ କରିବାକୁ କହିଥିଲେ । ସେ ସାମ୍ବାଦିକା ଜଣକ ବି କିଛି ଶୁଣି ନ ଥିଲେ । ପରେଏହାକୁ ନେଇ ସାମ୍ବାଦିକା ଓ ବିରାଟଙ୍କ ମଧ୍ୟ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । ସର୍ବସାଧାରଣ ସ୍ଥାନରେ ଫଟୋ ନେବା ଭୁଲ ନୁହେଁ ବୋଲି ସାମ୍ବାଦିକା ଜଣକ ଯୁକ୍ତି କରିଥିଲେ । ପରେ ସେଠାରେ ଉପସ୍ଥିତ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।