ହାଇଦ୍ରାବାଦ: ପୁଣି ବଢ଼ିଲା ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ । ହାଇଦ୍ରାବାଦସ୍ଥିତ ସନ୍ଧ୍ୟା ଥିଏଟର ଦଳାଚକଟା ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ନୂଆ ସମନ ଜାରି କରିଛି ହାଇଦ୍ରାବାଦ ଚିକ୍କଡପଲ୍ଲୀ ପୋଲିସ। ମଙ୍ଗଳବାର ହାଜର ହେବାକୁ ନୋଟିସରେ କୁହାଯାଇଛି।
ଗତ ୪ ତାରିଖରେ ଅଲ୍ଲୁ ଅର୍ଜୁନ ତାଙ୍କର ଚଳଚ୍ଚିତ୍ର ‘ପୁଷ୍ପା ୨: ଦ ରୁଲ’ର ପ୍ରିମିୟର ଶୋ ପାଇଁ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ। ଏହି ସମୟରେ ଶୋ ପାଇଁ ସେ ବ୍ୟକ୍ତିଗତ ସୁରକ୍ଷା ସହିତ ଅଚାନକ ଥିଏଟରରେ ପହଞ୍ଚିଥିଲେ। ଆଉ ଅଲ୍ଲୁଙ୍କ ଟିକେ ଝଲକ ପାଇବା ପାଇଁ ସନ୍ଧ୍ୟା ଥିଏଟରରେ ଭିଡ଼ ଜମିଥିଲା । ଧୀରେ ଧୀରେ ଭିଡ଼ ଅଣାୟତ ହେବାରେ ଲାଗିଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବି ନାକେଦମ ହେବାକୁ ପଡ଼ିଲା । ଶେଷରେ ସ୍ଥାନୀୟ ପୋଲିସ ଲାଠି ଚାର୍ଜ କରିଥିଲା। ଆଉ ଏହି ସମୟରେ ହୋଇଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଆଉ ତାଙ୍କର ୮ ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏନେଇ ଗତ ୫ରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ଚିକ୍କାଡପଲି ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଟିମ ତଥା ଥିଏଟର ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଗତ ୧୩ ତାରି୍ଖରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା। ପରେ ସେହି ଦିନ ସେ ତେଲେଙ୍ଗାନା ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଥିଲେ। ଏହା ପରେ ତାଙ୍କୁ ୧୪ ଡିସେମ୍ବର ସକାଳେ ଜେଲରୁ ମୁକ୍ତ କରାଯାଇଥିଲା।