ମନ୍ଦିରରେ ଅଛନ୍ତି ୨୦ ହଜାରରୁ ଅଧିକ ମୂଷା

ହିନ୍ଦୁ ଶାସ୍ତ୍ରରେ ମଧ୍ୟ ମୂଷାକୁ ଭଗବାନ ଗଣେଶଙ୍କ ବାହନ ବୋଲି ବିଶ୍ୱାସ କରାଯାଇଥାଏ। କିନ୍ତୁ ଘରେ ମୂଷା ଦେଖିଲେ ଆମେ ଚିନ୍ତାରେ ପଡିଯାଉ । ପୋଷାକ ଓ ଦ୍ରବ୍ୟକୁ ନଷ୍ଟ କରୁଥିବା ଯୋଗୁ ଆମେ ଏମାନଙ୍କୁ ଘରେ ରହିବାକୁ ଦେଇ ନ ଥାଉ। ଜନ୍ତା ବସାଇ କିମ୍ୱା ବିଷ ଦେଇ ମାରିବାକୁ ଚେଷ୍ଟା କରିଥାଉ। କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ମୂଷାଙ୍କୁ ନ ମାରି ସୁରକ୍ଷିତ ଭାବେ ପୂଜା କରାଯାଇଥାଏ । କେବଳ ପୂଜା କରାଯାଏନାହିଁ, ମୂଷାମାନଙ୍କୁ ଖାଇବାକୁ ବିଭିନ୍ନ ଶସ୍ୟ ଏବଂ ଭୋଗ ଓ ପିଇବା ପାଇଁ କ୍ଷୀର ମଧ୍ୟ ଦିଆଯାଏ ।

ଏହି ବିଚିତ୍ର ମନ୍ଦିର ରହିଛି ରାଜସ୍ଥାନରେ। ବିକାନେର ଜିଲ୍ଲା ଅନ୍ତର୍ଗତ କରଣି ମାତାଙ୍କ ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଇଥାଏ। ଏବେ ଏହି ମନ୍ଦିରରେ ରହିଛନ୍ତି ୨୦ ହଜାରରୁ ଅଧିକ ମୂଷା। ହେଲେ ଏହି ମୂଷାଗୁଡିକ କେବେବି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କିଛି ବି କ୍ଷତି ପହଞ୍ଚାଇ ନ ଥାନ୍ତି। ସବୁଠାରୁ ବଡ଼ କଥା ହେଉଛି ମନ୍ଦିରରେ ଏତେ ସଂଖ୍ୟାରେ ମୂଷା ରହିଥିଲେ ମଧ୍ୟ ସେମାନଙ୍କ ଯୋଗୁଁ କୌଣସି ଦୁର୍ଗନ୍ଧ ହେଉନାହିଁ । ଏଠାରେ ଲାଗି ହେଉଥିବା ପ୍ରସାଦକୁ ପ୍ରଥମେ ମୂଷାମାନଙ୍କୁ ଖାଇବାକୁ ଦିଆଯାଇଥାଏ, ମୂଷାମାନେ ଖାଇସାରିବା ପରେ ସେହି ପ୍ରସାଦକୁ ଲୋକେ ଖାଇଥାନ୍ତି। ମୂଷା ମାନଙ୍କ ଅଇଁଠା ଖାଇବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଭକ୍ତଙ୍କର ସ୍ଵାସ୍ଥ୍ୟ ଗତ ସମସ୍ୟା ଦେଖାଯାଇନାହିଁ । ଏହି ବିଚିତ୍ର ମନ୍ଦିର ଆରାଧ୍ୟ ଦେବୀ ହେଉଛନ୍ତି ମା କରଣି । ଲୋକମାନେ ମା କରଣିଙ୍କୁ ଜଗଦମ୍ବାଙ୍କ ଅବତାର ମନେ କରିଥାନ୍ତି।

ଲୋକକଥା ଅନୁସାରେ, ୧୩୮୭ ମସିହାରେ ମା କରଣିଙ୍କ ଜନ୍ମ ହୋଇଥିଲା। ମାଆଙ୍କ ପିଲାଦିନର ନାଁ ଥିଲା ରିଘୁ ବାଇ। ବଡ଼ ହେବା ପରେ ରିଘୁ ବାଇଙ୍କର ସଂସାର ପ୍ରତି ବିତୃଷ୍ନା ଆସିଥିଲା। ସେ ଏକ ଗୁମ୍ଫାରେ ତପସ୍ୟା କରିବାକୁ ଲାଗିଲେ। ଆଜି ଯେଉଁଠି ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି, ଏଠାରେ ଥିଲା ସେହି ଗୁମ୍ଫା। କୁହାଯାଏ କି ମାଆ କରଣିଙ୍କର ଗୋଟିଏ ପୁଅ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଏହାପରେ କରଣି ମାଆ ଯମ ରାଜାଙ୍କୁ ପୁଅର ଜୀବନ ଫେରାଇ ଦେବାକୁ ନିବେଦନ କରିଥିଲେ। ମୃତ୍ୟୁବରଣ କରିଥିବା ପୁଅକୁ ପୁନର୍ଜୀବନ ଦେବା ସମ୍ଭବ ନୁହେଁ ବୋଲି କହିଥିଲେ ଯମ ରାଜା। କିନ୍ତୁ ଯମରାଜା ମୂଷା ରୂପରେ ତାଙ୍କ ପୁଅକୁ ଫେରାଇ ଦେଇଥିଲେ ବୋଲି ଲୋକେ ବିଶ୍ୱାସ କରନ୍ତି। ମନ୍ଦିରରେ ଥିବା ମୂଷାମାନେ ହେଉଛନ୍ତି କରଣି ମାତାଙ୍କ ସନ୍ତାନ। ଏହି ବିଶ୍ୱାସରେ ଏଠାରେ ମୂଷାମାନଙ୍କର ପୂଜା କରିଥାନ୍ତି ସ୍ଥାନୀୟ ଲୋକେ।
ମନ୍ଦିରରେ ଥିବା ହଜାର ହଜାର ମୂଷାଙ୍କ ମଧ୍ୟରେ କିଛି ଧଳା ମୂଷା ରହିଥାନ୍ତି, ଯେଉଁମାନଙ୍କୁ ପବିତ୍ର ବୋଲି କୁହାଯାଇଥାଏ। ଲୋକକଥା ମୁତାବକ ଏମାନେ କାଳେ କରଣୀ ମାତାଙ୍କ ଚାରି ପୁଅଙ୍କର ବଂଶଧର।

ଶ୍ରଦ୍ଧାଳୁମାନେ ଏହି ମୂଷାଙ୍କ ଆଶୀର୍ବାଦ ପାଇବା ପାଇଁ ଚେଷ୍ଟା କରିଥାନ୍ତି। ଏଥିପାଇଁ ବାହାରୁ ଆସୁଥିବା ପର୍ଯ୍ୟଟକ ଏହି ମୂଷାଙ୍କୁ ମିଠାଜାତୀୟ ଖାଦ୍ୟ ଦେଇ ପ୍ରଣାମ କରିଥାନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକ ଏହି ମୂଷାଙ୍କୁ ଦେଖି ଭୟ କରି ନ ଥାନ୍ତି। ଏହା ପରିବର୍ତ୍ତେ ତାଙ୍କୁ କ୍ଷୀର ପିଇବାକୁ ଦେଇଥାନ୍ତି। ମୂଷାମାନେ ମଧ୍ୟ ନିର୍ଭୟରେ ପର୍ଯ୍ୟଟକ ପଥରେ ଯିବାଆସିବା କରିଥାନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *