ନୂଆଦିଲ୍ଲୀ: ମନମୋହନ ସିଂହ ସବୁବେଳେ ସମାନ ରଙ୍ଗର ଅର୍ଥାତ୍ ନୀଳର ରଙ୍ଗର ପଗଡ଼ି ପିନ୍ଧିଥିବାର ନଜର ଆସୁଥିଲେ। ଏହାପଛର କାରଣ କ’ଣ ? ଥରେ ନୀଳ ପଗଡ଼ି ପିନ୍ଧିବାର କାରଣ କହିଥିଲେ ମନମୋହନ ସିଂହ । ସେ କହିଥିଲେ ଯେ ନୀଳ ହେଉଛି ତାଙ୍କର ପ୍ରିୟ ରଙ୍ଗ। ୨୦୦୬ରେ ମନମୋହନ ସିଂହଙ୍କୁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆଇନ୍ ବିଭାଗରେ ଡକ୍ଟରେଟ୍ ଉପାଧି ମିଳିଥିଲା ।ଏହି ସମୟରେ ତତ୍କାଳୀନ ଡ୍ୟୁକ୍ ଅଫ୍ ଏଡିନବର୍ଗ ଏବଂ ବିଶ୍ୱବିଦ୍ୟାଳୟର କୁଳପତି ପ୍ରିନ୍ସ ଫିଲିପ୍ ମନମୋହନ ସିଂହଙ୍କ ପଗଡ଼ି ଏବଂ ଏହାର ରଙ୍ଗ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ନୀଳ ରଙ୍ଗ ମଧ୍ୟ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ରଙ୍ଗ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନୀଳ ପଗଡ଼ି ମଧ୍ୟ ସେଠାରେ ଅଧ୍ୟୟନ କରିବା ଏବଂ ତାଙ୍କର ବିଶ୍ୱବିଦ୍ୟାଳୟ ପ୍ରତି ଥିବା ଭଲପାଇବାକୁ ପ୍ରତିଫଳିତ କରିଥାଏ ।ମନମୋହନ ସିଂହ ଥରେ କହିଥିଲେ ଯେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ମଧ୍ୟ ସେ ନୀଳ ପଗଡ଼ି ପିନ୍ଧୁଥିଲେ । ଏହି ସମୟ ମଧ୍ୟରେ ତାଙ୍କ ସାଙ୍ଗମାନେ ତାଙ୍କ ନାଁ ‘ବ୍ଲୁ ପଗଡ଼ି’ ରଖିଥିଲେ ।
ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ମନମୋହନ ସିଂହ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗୁରୁବାର ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମରଜେନ୍ସି ଡିପାର୍ଟମେଣ୍ଟରେ ତାଙ୍କ ଚିକିତ୍ସା ଚାଲିଥିବା ସମୟରେ ନିଧନ ହୋଇଛି । ଶ୍ରୀ ସିଂହଙ୍କ ଶେଷ ସମୟରେ ତାଙ୍କ ପତ୍ନୀ ଗୁରୁଶରଣ କୌର ଓ ୨ ଝିଅ ଉପସ୍ଥିତ ଥିଲେ । ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିବା କଂଗ୍ରେସର ଏହି ଭେଟେରାନ ରାଜନେତା ୧୯୩୨ ମସିହାରେ ପଞ୍ଜାବର ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଯାହା ବର୍ତ୍ତମାନ ପାକିସ୍ତାନର ଏକ ଅଂଶ ଅଟେ । ବିଭାଜନ ସମୟରେ ତାଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲେ । ୨୦୦୪ ରୁ ୨୦୧୪ ପର୍ୟ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ ।