ନୂଆଦିଲ୍ଲୀ- ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଖ୍ୟାତ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କର ଆଜି ହେବ ନାହିଁ ଅନ୍ତିମ ସଂସ୍କାର । ଆସନ୍ତା କାଲି ହେବ ଡ ସିଂହଙ୍କ ଶେଷକୃତ୍ୟ । ତେବେ କାହିଁକି ଆଜି କରା ନ ଯାଇ କାଲି କରାଯିବ ଜାଣନ୍ତୁ ।
ଗତକାଲି ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଖ୍ୟାତ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କ ପରଲୋକ ହୋଇଯାଇଛି । ଆଜି ଅର୍ଥାତ୍ ଶୁକ୍ରବାର ଶେଷ କୃତ୍ୟ ହେବା କଥା । ହେଲେ ଏହି କର୍ମକୁ ଆସନ୍ତା କାଲି, ଅର୍ଥାତ ଶନିବାର କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱର୍ଗତ ସିଂହଙ୍କ ଝିଅ ଆମେରିକାରେ ରହୁଛନ୍ତି । ଝିଅ ଶେଷ ଦର୍ଶନ ନ କରିବା ଯାଏଁ ହେବନି ଶେଷକୃତ୍ୟ ବୋଲି ପରିବାର ଲୋକ ନିଷ୍ପତ୍ତି ନେଇଛନ୍ତି।
ସିଂହଙ୍କ ଝିଅ ଆମେରିକାରେ ରହୁଥିବା ବେଳେ ଶୁକ୍ରବାର ରାତିରେ ସେ ଆମେରିକାରୁ ଭାରତ ଆସିବେ । ଝିଅ ଶେଷ ଦର୍ଶନ କରିବା ପରେ ଶନିବାର ସକାଳ ୮ଟାରୁ ୧୦ଟା ମଧ୍ୟରେ କଂଗ୍ରେସ ମୁଖ୍ୟାଳୟରେ ସିଂହଙ୍କ ପାର୍ôଥବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଆଣାଯିବ । ସମସ୍ତ ନେତା ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଅନ୍ତିମ ଯାତ୍ରାରେ ସିଂହଙ୍କୁ ନିଆଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଦେଶର ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କର ଅନ୍ତିମ ସଂସ୍କାର ରାଜଘାଟ ନିକଟରେ ହୋଇଥାଏ । ତେଣୁ ଡ ସିଂହଙ୍କ ଅନ୍ତିମ ସଂସ୍କାର ମଧ୍ୟ ସେହି ସ୍ଥାନରେ ହେବ । ଏହି କର୍ମକାଣ୍ଡରେ ସରକାର ବି ସାମିଲ ରହିବେ ।
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଦେଶ ସ୍ତବ୍ଧ ହୋଇ ଯାଇଛି । ଶାନ୍ତ ଓ ସମର୍ପିତ ନେତୃତ୍ୱର ବଡ ଚେହେରା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ôଥକ ସଂସ୍କାରକ ମନମୋହନ ସିଂହଙ୍କ ବିୟୋଗରେ ତାଙ୍କୁ ଝୁରି ହେଉଛି ସାରାଦେଶ । ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି ।