ଭୁବନେଶ୍ୱର: ମୋ ବସ ସ୍ପିଡ଼୍ରେ ଲାଗିଲା ବ୍ରେକ୍ । ଆଉ ସହର ଭିତରେ ସ୍ପିଡ଼୍ରେ ଗଡ଼ିବନି ମୋ ବସ । ୪୦ କିମି ପ୍ରତି ଘଣ୍ଟାରୁ ଅଧିକ ବେଗରେ ସହର ଭିତରେ ଚାଲିବନି ମୋ ବସ । ସେହିପରି ସହର ବାହାରେ ଏହାର ବେଗ ୫୦କିମି ପ୍ରତି ଘଣ୍ଟା ରହିବ । ଯଦି କୌଣସି ଡ଼୍ରାଇଭର ଏହି ନିୟମକୁ ନ ମାନନ୍ତି, ତାହାହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ମୋ ବସ୍ ଚାଳକଙ୍କ ଯୋଗୁ ଲଗାତାର କ୍ରୁଟ୍ ବଦନାମ ହେବା ସହ ଧନଜୀବନ ହାନୀ ହେଉଛି । ବାଧ୍ୟ ହୋଇ ବସ୍ ଚାଳକଙ୍କ ପାଇଁ କଟକଣା ଜାରି କରାଯାଇଛି। କୌଣସି ଡ୍ରାଇଭର ସହର ଭିତରେ ମୋ ବସ୍ ୪୦ କିମି ପ୍ରତି ଘଣ୍ଟାରୁ ଅଧିକ ବେଗରେ ଚାଲଇ ପାରିବେ ନାହିଁ। ଏମିତି କି ସହର ବାହାରେ ଏହାର ବେଗ ୫୦ କିମି ପ୍ରତି ଘଣ୍ଟା ରହିବ। ସବୁ ଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯାଇ ଗାଡ଼ିର ବେଗ ତର୍ଜମା କରାଯିବ। ଧାର୍ଯ୍ୟ ବେଗରୁ ଅଧିକ ଚାଲିଲେ ଚାଳକଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଯଦି କୌଣସି ଡ଼୍ରାଇଭର ମଦ ପିଇଥିଲେ ଆଦୌ ବରଦାସ୍ତ କରାଯିବନି। କେବଳ ଅଭିଯୋଗ ହେଲେ ନୁହେଁ ବରଂ, ଡ୍ରାଇଭର ଗାଡ଼ି ଚଳାଇବା ବେଳେ ମଦ ପିଇଛନ୍ତି କି ନିୟମିତ ଯାଞ୍ଚ ହେବ। କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତ ଅପରାହ୍ନରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଏନ୍. ତିରୁମାଲା ନାୟକ କ୍ରୁଟ୍ କାର୍ଯ୍ୟାଳୟରେ ଏ ନେଇ ଦୀର୍ଘ ସମୟ ଧରି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଶୃଙ୍ଖଳିତ ତଥା ଉତ୍ତମ ଗୁଣବତ୍ତାର ପରିବହନ ସେବା ପାଇଁ କ୍ରୁଟ୍ ଜାତୀୟସ୍ତରରେ ଏକାଧିକ ସମ୍ମାନ ପାଇଛି। କିନ୍ତୁ କେତେକ ମୋ ବସ୍ ଡ଼୍ରାଇଭରଙ୍କ ଦୁର୍ବ୍ୟବହାର ଓ ଦୁର୍ଘଟଣା ଯୋଗୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗତ ୨ ତାରିଖରେ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ହାତ କଟିଯାଇଥିଲା । ଖୋଦ୍ ମନ୍ତ୍ରୀ ମୋ ବସ୍ରେ ଯାତ୍ରା କରିବା ବେଳେ ଜଣେ ଚାଳକଙ୍କ ଦୁର୍ବବ୍ୟବହାର ଶିକାର ହୋଇଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଉଠିଛି କ୍ରୁଟ୍ । ମନ୍ତ୍ରୀ କହିଛନ୍ତି, ମୋ ବସ୍ଗୁଡ଼ିକୁ ନିୟମିତ ଯାଞ୍ଚ କରାଯିବ। ଅଧିକାରୀମାନେ ବିନା କୌଣସି ସୂଚନାରେ ଅଚାନକ୍ ଚଢ଼ଉ କରିବେ। ବସ୍ ଡ୍ରାଇଭରଙ୍କ ଲାଇସେନ୍ସ ଯାଞ୍ଚ କରିବା ସହ ମଦ୍ୟପାନ କରିଛନ୍ତି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରିବେ। ଲାଇସେନ୍ସ ନଥିଲେ କିମ୍ବା ମଦ୍ୟପାନ କରିଥିଲେ କାର୍ଯ୍ୟାନୁଷ୍ଠାନ ନେବେ।