ମୁମ୍ବାଇ: ଆରପାରିରେ ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍ସନ । ୯୫ ବର୍ଷ ବୟସରଙ୍କ ତାଙ୍କର ପରଲୋକ ହୋଇଯାଇଛି। ନଭେମ୍ବର ୪ ତାରିଖ ସୋମବାର କାଲିଫର୍ଣ୍ଣିଆସ୍ଥିତ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୟସାଧିକ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ଜଣାଯାଇଛି । ଅଫିସିଆଲ ମିସ୍ ୱାର୍ଲ୍ଡ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ଘୋଷଣା କରାଯାଇଛି।
ସ୍ୱିଡେନରେ ଜନ୍ମ ଗ୍ରହଣ କରିଥିଲେ କିକି ହାକାନ୍ସନ । ୧୯୫୧ ମସିହାରେ ଲଣ୍ଡନରେ ଆୟୋଜିତ ପ୍ରଥମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧି ଇତିହାସ ରଚିଥିଲେ। ଲିସିୟମ୍ ବାଲରୁମ୍ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ପ୍ରଥମେ ବ୍ରିଟେନ୍ ଫେଷ୍ଟିଭାଲ ସହ ଜଡ଼ିତ ଏକକାଳୀନ କାର୍ଯ୍ୟକ୍ରମ ଭାବେ ପରିକଳ୍ପନା କରାଯାଇଥିଲା। ତେବେ ଏହି ପ୍ରତିଯୋଗିତା ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ ହୋଇଥିଲା । କିକିଙ୍କ ବିଜୟ ମିସ୍ ୱାର୍ଲ୍ଡ ପରମ୍ପରାର ଶୁଭାରମ୍ଭ କରିଥିଲା। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳିରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଅଫିସିଆଲ ପେଜରେ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରାଯାଇଛି। ମିସ୍ ୱାର୍ଲ୍ଡର ଅଧ୍ୟକ୍ଷା ଜୁଲିଆ ମୋର୍ଲେ ତାଙ୍କ ବ୍ୟକ୍ତିଗତ ଚିନ୍ତାଧାରାକୁ ଶେୟାର କରି କହିଛନ୍ତି, ଜଣେ ଟ୍ରେଲବ୍ଲେଜର (ପଥପ୍ରଦର୍ଶକ) ଭାବରେ କିକି କେବଳ ଭବିଷ୍ୟତର ପ୍ରତିଯୋଗୀ ସୁନ୍ଦରୀ ରାଣୀମାନଙ୍କ ପାଇଁ ମଞ୍ଚ ପ୍ରସ୍ତୁତ କରି ନ ଥିଲେ ବରଂ ବିଶ୍ୱ ସାଂସ୍କୃତିକ ଦୃଶ୍ୟପଟରେ ଏକ ଆଇକନିକ ବ୍ୟକ୍ତିତ୍ୱ ମଧ୍ୟ ପାଲଟିଥିଲେ।