ବେଙ୍ଗାଲୁରୁ: ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ଓ ଫଟୋ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ କୁକୁଡ଼ାର ପେଟକୁ ଚିପିଲେ ପାଟିରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି । ଏପରି ଭିଡ଼ିଓକୁ ଦେଖି ଲୋକେ ଚକିତ ହେବା ସହ ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି । କର୍ଣ୍ଣାଟକର ଏକ ଗାଁରେ ଆଶ୍ଚର୍ଯ୍ୟ କଲା ଭଳି ଏହି ଘଟଣା ଦେଖିବାକୁ ମିଳିଛି ।
କର୍ଣ୍ଣାଟକର ସକଲେସପୁର ଗ୍ରାମର ରବି ନାମକ ଜଣେ ବ୍ୟକ୍ତି କୁକୁଡ଼ା ପାଳିଥିଲେ । ଗତ ୧୮ ତାରିଖରୁ କୁକୁଡ଼ାମାନେ ଅସୁସ୍ଥ ହୋଇ ଜଣଙ୍କ ପରେ ଜଣେ ମରିବାରେ ଲାଗିଛନ୍ତି । ଇତିମଧ୍ୟରେ ତାଙ୍କର ୧୨ଟି କୁକୁଡ଼ାର ଅଜଣା ରୋଗରେ ମୃତ୍ୟୁ ହୋଇଛି । ତେବେ କୁକୁଡ଼ାମାନେ କେଉଁ ରୋଗରେ ପ୍ରାଣ ହରାଇଛନ୍ତି ତାହାର କାରଣ ଜଣାପଡ଼ିନାହିଁ। ସେଥିମଧ୍ୟରୁ ଗୋଟେ କୁକୁଡ଼ାର ପେଟ ଚିପିଲେ ପାଟିରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡିଓ ଦେଖିବାକୁ ମିଳିଛି ଯେ, ଗୋଟେ ମଲା କୁକୁଡ଼ା ତଳେ ପଡ଼ି ରହିଛି । ଜଣେ ବ୍ୟକ୍ତି ସେହି ମଲା କୁକୁଡ଼ାର ପେଟକୁ ଚୁପୁଛନ୍ତି । ପେଟକୁ ଚିପିବା ମାତ୍ରକେ କୁକୁଡ଼ା ପାଟିରୁ ନିଆଁ ବାହାରୁଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୭ ନିୟୁତରୁ ଅଧିକ ଲୋକ ଦେଖି ସାରିଲେଣି । ଅଧିକାଂଶ ବ୍ୟକ୍ତି ଭିଡିଓଟିକୁ ମିଛ ବୋଲି କହୁଛନ୍ତି ।