ତେଲଙ୍ଗାନା : ବିଭିନ୍ନ ସଂସ୍କୃତି, ପରମ୍ପରା, ରୀତିନୀତି, ଧାର୍ମିକ ଓ ସାମାଜିକ ଜିନିଷ ଦୁନିଆର ପ୍ରତ୍ୟେକ ଗାଁରେ ଦେଖାଯାଏ । ତେଣୁ ପ୍ରତ୍ୟେକ ଗାଁର କିଛି ନା କିଛି ସ୍ୱତନ୍ତ୍ର ପରିଚୟ ରହିଛି। ନିଜ ସ୍ୱତନ୍ତ୍ରତାକୁ ନେଇ ମଧ୍ୟ ଗ୍ରାମବାସୀ ଗର୍ବ କରିଥାନ୍ତି। ସେମିତି ଏକ ଗାଁ ରହିଛି ତେଲଙ୍ଗାନାରେ ,ଯେଉଁଠି ଅଧିକାଂଶ ଲୋକ ପୋଲିସ ବିଭାଗରେ କାର୍ଯ୍ୟରତ । ତେଣୁ ଏହି ଗାଁ ପୋଲିସ ଗାଁ ଭାବେ ବେଶ୍ ଜଣାଶୁଣା । ଏବେ ଏହି ଗାଁ ଅନ୍ୟ ଗ୍ରାମର ଯୁବକମାନଙ୍କ ଲାଗି ପ୍ରେରଣା ସାଜିଛି ।
ତେଲଙ୍ଗାନା କରିମନଗର ଜିଲ୍ଲାର ମାଣକୋଣ୍ଡୁର ମଣ୍ଡଳରେ ରହିଛି ଅନ୍ନାରାମ ଗାଁ । ଏଠାରେ ୭ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରିଥାନ୍ତି । ଏହି ଗାଁର ଏକ ସ୍ୱତନ୍ତ୍ର କାରଣକୁ ନେଇ ଖୁବ୍ ଚର୍ଚ୍ଚାରେ । ତାହା ହେଉଛି ଏହି ଗାଁରେ ପ୍ରାୟ ୧୦୦ ଜଣ ପୋଲିସ ବିଭାଗରେ କାମ କରୁଛନ୍ତି । ତେଣୁ ଏହା ସ୍ଥାନୀୟ ଅଞ୍ଚଳରେ ‘ପୋଲିସ ଗାଁ’ ଭାବେ ମଧ୍ୟ ପରିଚିତ । ଏଠାରେ ୬୦ରୁ ଅଧିକ ପୋଲିସ ଓ ୩୦ ଜଣ ହୋମଗାର୍ଡ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି ।
ଜଣାଯାଇଛିି ଯେ, ୧୯୮୧ ମସିହାରେ, ଗ୍ରାମର ଅଞ୍ଜେୟା ନାମକ ଜଣେ ଯୁବକ ପ୍ରଥମେ ପୋଲିସ କନ୍ଷ୍ଟେବଳ ଭାବେ ଚାକିରି ପାଇଥିଲେ । ତାଙ୍କର ସେହି ଉପଲବ୍ଧି ପରେ ଅନ୍ୟମାନେ ପୋଲିସସେବା କ୍ଷେତ୍ରରେ କ୍ୟାରିୟର କରିବାକୁ ଆଗ୍ରହୀ ହେଲେ । ଫଳସ୍ୱରୂପ ୧୯୯୨ରେ ଅନ୍ୟ ଦୁଇଜଣ ଯୁବକ ପୋଲିସ କନ୍ଷ୍ଟେବଳ ପାଇଁ ମନୋନୀତ ହେଲେ । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ଧୀରେ ଧୀରେ ବଢିବାକୁ ଲାଗିଲା ।
ବିଶେଷ କରି ୧୯୯୫ ପରେ ଗାଁର ଅନେକ ଯୁବକ ପୋଲିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ଚଳିତବର୍ଷ ଗାଁର ଅତି କମ୍ରେ ୬ ଜଣ ପୋଲିସସେବା କ୍ଷେତ୍ରରେ ଯୋଗ ଦେଇଛନ୍ତି । ଗାଁର ଯୁବକମାନଙ୍କ ଏହି ସଫଳତା ପଛରେ ଶଙ୍କର ନାମକ ଜଣେ ହେଡ୍ କନ୍ଷ୍ଟେବଳଙ୍କର ମଧ୍ୟ ଉଲ୍ଲେଖନୀୟ ଭୂମିକା ରହିଛି । ସେ ପ୍ରାୟ ୨୫୦ ଜଣ ଯୁବକଙ୍କୁ ପୋଲିସ ସେବାରେ ଯୋଗଦେବାକୁ ପ୍ରେରିତ କରିଥିଲେ । ସେମାନଙ୍କ ଲାଗି ବିଧିବଦ୍ଧ ଭାବେ ତାଲିମର ବ୍ୟବସ୍ଥା ବି କରିଥିଲେ । ଅନ୍ନାରାମର ଯୁବକମାନଙ୍କର ଏହି ଉପଲବ୍ଧି ଆଖପାଖ ଗାଁର ଯୁବକମାନଙ୍କ ଲାଗି ଏବେ ପ୍ରେରଣା ସାଜିଛି ।