ରିଲିଜ ପୂର୍ବରୁ ଚର୍ଚ୍ଚାରେ ବର୍ଷାଙ୍କ ଫିଲ୍ମ ‘ୱାଇଫ୍‌’

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲଉଡ୍‌ର ଅନ୍ୟତମ ସୁପରହିଟ୍ ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ। ଅନୁଭବଙ୍କ ଜୀବନକୁ ନେଇ ଦିଲ୍ଲୀର ଖବରଦାତା ଜାଗୃତି ଶୁକ୍ଳା ‘ବ୍ଲକବଷ୍ଟର ଟୁ ବାଲାଟ ବକ୍ସ’ ନାମକ ଏକ ପୁସ୍ତକ ରଚନା କରୁଥିବା ବେଳେ ଏବେ ବର୍ଷା ନିଜର ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନୂଆବର୍ଷ ଅବସରରେ ଆସନ୍ତା ୩ ତାରିଖରେ ବର୍ଷାଙ୍କ ଫିଲ୍ମ ‘ୱାଇଫ୍‌’ ବଡ଼ ପରଦାକୁ ଆସିବ। ଏହାର କାହାଣୀ ଅନେକାଂଶରେ ବର୍ଷାଙ୍କ ଜୀବନ ସହ ମେଳ ଖାଉଛି ବୋଲି କୁହାଯାଉଛି।

ଫିଲ୍ମ ରିଲିଜ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପ୍ରଶଂସକମାନେ ମତ ରଖୁଛନ୍ତି। ଫିଲ୍ମରେ ବର୍ଷା ହିରୋ ଜୟଜିତଙ୍କୁ ବିବାହ କରୁଛନ୍ତି। କିଛିଦିନ ବେଶ ହସଖୁସିରେ ସେମାନଙ୍କ ଜୀବନ ବିତୁଛି । ହଠାତ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ତୃତୀୟ ମହିଳାଙ୍କ ଏଣ୍ଟ୍ରି ହେଉଛି। ସେ ପେସାରେ ଜଣେ ମହିଳା ଖବରଦାତା। ତାଙ୍କ ସ୍ୱାମୀ ଏହି ଖବରଦାତାଙ୍କ ପ୍ରେମରେ ଉବୁଟୁବୁ ହେବା ଯୋଗୁ ବୈବାହିକ ଜୀବନରେ ଉଠୁଛି ଝଡ଼।

ଶେଷରେ ବର୍ଷାଙ୍କ ସ୍ୱାମୀ ତାଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି। ବିଚ୍ଛେଦର ସବୁ କାରଣ ସେ ସ୍ତ୍ରୀଙ୍କ ମୁଣ୍ଡରେ ଠେଲିଦେଇ ଦୋଷୀ କରିବାକୁ ପଛାଉ ନାହାନ୍ତି। ନୂଆବର୍ଷରେ ଏଭଳି ବିଷୟବସ୍ତୁକୁ ନେଇ ରିଲିଜ ହେବ ‘ୱାଇଫ୍‌’। ଏହାକୁ ଦେଖିଲେ ହଠାତ ଏହା ବର୍ଷା ଅନୁଭବଙ୍କ ଜୀବନ କାହାଣୀ ବୋଲି ଦର୍ଶକେ ଭାବିବାକୁ ବାଧ୍ୟ ହେବେ। ତେବେ ଏହା କେବଳ ଏକ କାହାଣୀ। ସମାଜର ଅଧିକାଂଶ ଘରେ ଏଭଳି କାହାଣୀ ଘଟୁଛି ବୋଲି ବର୍ଷା କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *