ନୂଆଦିଲ୍ଲୀ: ଏଥର ବିଦେଶରେ ନୂଆବର୍ଷ ପାଳନ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଥିଲାଗି ସେ ଭିଏତନାମ ଯାଇଛନ୍ତି । ଏନେଇ ବିଜେପି ରାହୁଲଙ୍କୁ ସମାଲୋଚନା କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକର ମାତ୍ର କିଛି ଦିନ ହୋଇଛି । ଏପରି ସମୟରେ ନୂଆ ବର୍ଷକୁ ସ୍ୱାଗତ କରିବାକୁ ରାହୁଲ ଭିଏତନାମ ଯିବା ଦିବଂଗତ ନେତାଙ୍କ ଅପମାନ ବୋଲି ବିଜେପି କହିଛି।
ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କହିଛନ୍ତି, ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ଶୋକ ପାଳନ କରାଯାଉଛି, ସେତେବେଳେ ରାହୁଲ ନୂଆ ବର୍ଷକୁ ସ୍ୱାଗତ କରିବାକୁ ବିଦେଶ ଚାଲିଯାଇଛନ୍ତି। ଦେଶ ଏବେ ୭ ଦିନର ରାଷ୍ଟ୍ରୀୟ ଶୋକ ପାଳନ କରୁଛି। କଂଗ୍ରେସ ମନମୋହନଙ୍କୁ ସମ୍ମାନ ଦିଏ ନାହିଁ। ଦଳ ତାଙ୍କ ଜୀବନକାଳରେ ଅନେକଥର ଅପମାନ କରିଛି । ଏବେ ବି ସେମାନେ ସେଭଳି କରୁଛନ୍ତି। କାଲି କେହି ତାଙ୍କର ଅସ୍ଥି ଆଣିବାକୁ ଯାଇ ନ ଥିଲେ। କଂଗ୍ରେସ ତାଙ୍କୁ ଭାରତ ରତ୍ନ ଦେବାକୁ ମନା ମଧ୍ୟ କରିଦେଇଛି। ଏହା ଦଳର ଅସଲ ରୂପ ବୋଲି ସେ କହିଛନ୍ତି।
କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀଙ୍କୁ ବିଜେପି ନେତା ‘ପର୍ଯ୍ୟଟନର ନେତା’ ମଧ୍ୟ କହିଥିଲେ। ରାହୁଲ ବିରୋଧୀ ଦଳର ନେତା ନୁହନ୍ତି ବରଂ ପର୍ଯ୍ୟଟନର ନେତା। ଏମିତି ସମୟରେ ସେ ପାର୍ଟି ଏବଂ ବୁଲିବାକୁ ବାହାରିଛନ୍ତି। କେବଳ ଏତିକି ନୁହେଁ ଦେଶରେ ଯେତେବେଳେ ୨୬/୧୧ ଭଳି ଆକ୍ରମଣ ହୋଇଥିଲା, ସେ ରାତିସାରା ପାର୍ଟି କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିବା ସେ କଟାକ୍ଷ କରି କହିଛନ୍ତି।