ନୂଆଦିଲ୍ଲୀ- ସେ ଥିଲେ ଆମେରିକାର ରାଷ୍ଟ୍ରପତି, ହେଲେ ତାଙ୍କ ଗାଁ ଭାରତରେ । ଏହା ପଢ଼ିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ଆଉ ଭାବୁଥିବେ ଏହା କିପରି ସମ୍ଭବ । ହେଲେ ଏହା ସତ । ଆମ ଦେଶ ଭାରତରେ ରହିଛି ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଗାଁ । ଭାରତ ସହ ମଧ୍ୟ ଥିଲା ତାଙ୍କର ଘନିଷ୍ଠତା । ଏହି ଗାଁ ରହିଛି ହରିଆଣାରେ । ଗାଁର ନାଁ କାର୍ଟରପୁରୀ । ତାଙ୍କ ନାମରେ ନାମିତ ହୋଇଛି।
ଆମେରିକାର ୩୯ ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କର ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କୁହାଯାଉଛି ଯେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କ ମୃତ୍ୟୁରେ ସାରା ବିଶ୍ୱରେ ଶୋକର ଲହରୀ ଖେଳିଯାଇଥିଲା। ଭାରତ ସହିତ କାର୍ଟରଙ୍କ ମଧ୍ୟ ଗଭୀର ସମ୍ପର୍କ ଥିଲା। ଭାରତରେ ତାଙ୍କର ଯାତ୍ରା ଏବେ ବି ସ୍ମରଣୀୟ ।
ସେ ୧୯୭୭ ମସିହାରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଏବଂ ଜନତା ପାର୍ଟିର ବିଜୟ ପରେ ଭାରତ ଗସ୍ତରେ ଆସିଥିଲେ। ଜାନୁୟାରୀ ୩, ୧୯୭୮ ରେ ଜିମି କାର୍ଟର ଏବଂ ତାଙ୍କ ପତ୍ନୀ ରୋସାଲିନ୍ କାର୍ଟର ହରିୟାଣାର ଦୌଲତପୁର-ନାସିରାବାଦ ଗାଁ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ଗ୍ରାମବାସୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ଏବଂ ସେମାନେ ଏହି ଅଞ୍ଚଳର ନାମ ‘କାର୍ଟରପୁରୀ’ ରଖିଥିଲେ । ଏହି ଗସ୍ତ ପରେ ଏହି ଗାଁର ଲୋକମାନେ କାର୍ଟରଙ୍କ କାର୍ଯ୍ୟକାଳ ସମୟରେ ହ୍ୱାଇଟ ହାଉସ ସହିତ ସମ୍ପର୍କ ବଜାୟ ରଖିଥିଲେ।
୨୦୦୨ ରେ ଯେତେବେଳେ ଜିମି କାର୍ଟର ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ, ସେତେବେଳେ ଏହି ଗାଁ ଖୁସି ମନେଇଥିଲା । ଜିମି କାର୍ଟର ରାଜନୀତିକୁ ଆସିବା ଆଗରୁ ଜଣେ ଚିନାବାଦମ ଚାଷୀ ଥିଲେ । ସେ ଆମେରିକା ନୌସେନାରେ ଲେପ୍ଟନାଣ୍ଟ ଭାବେ କାମ ମଧ୍ୟ କରିଥିଲେ । ତେବେ ୧୯୭୭ରେ ସେ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିବା ସହ ଜର୍ଜିଆର ଗଭର୍ନର ହୋଇଥିଲେ । ତା ପରେ ସେ ଆମେରିକାର ୩୯ ତମ ରାଷ୍ଟ୍ରପତି ହୋଇଥିଲେ । ରବିବାର ୧୦୦ ବର୍ଷରେ ତାଙ୍କ ନିଧନ ହୋଇଛି ।