ନୂଆଦିଲ୍ଲୀ: ଦେଶକୁ ଭାଇରସ ଚିନ୍ତା। ଭାରତର ୫ଟି ରାଜ୍ୟରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି। ଚାଇନାରେ ଏଚ୍ଏମ୍ପିଭି ଭୂତାଣୁ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। କେବଳ ଭାରତ ନୁହେଁ ଏହା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଖାସ୍ କରି ପିଲାମାନଙ୍କଠାରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି।
ଗତକାଲି ପ୍ରଥମେ ବେଙ୍ଗାଲୁରୁରୁ ପ୍ରଥମ ମାମଲା ଚିହ୍ନଟ ହେବା ପରେ ଧିରେ ଧିରେ ବଢିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ କର୍ଣ୍ଣାଟକର ୨ ଜଣ ଶିଶୁ ଚିହ୍ନଟ ହୋଇଥିବା ବେଳେ, ଅହମଦାବାଦରେ ଜଣେ, ପଶ୍ଚିମବଙ୍ଗର ଜଣେ ଏବଂ ଚେନ୍ନଇେର ଦୁଇ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି। ପ୍ରଥମେ ବେଙ୍ଗାଲୁରୁର ଏକ ହସ୍ପିଟାଲରୁ ୮ ମାସର ଶିଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ଭାରତର ପ୍ରଥମ ମାମଲା ଥିଲା ବୋଲି କୁହାଯାଇଥିଲା । ଆଜି ପୁଣି ନାଗପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ । ଦୁହେଁ ପ୍ରଥମେ ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା ।
ଟେଷ୍ଟରେ ସେମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ପୁଣି ଆଗକୁ ଲକଡାଉନ୍ ଲାଗୁ ହେବ କି ବୋଲି ବଢ଼ିଛି ଆଶଙ୍କା। ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍ ଲକଡାଉନ୍ ଟ୍ରେଣ୍ଡ୍ ଚାଲିଛି।
କର୍ଣ୍ଣାଟକ ସରକାର ଲୋକଙ୍କ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଥିବା ବେଳେ, ଗହଳି ସ୍ଥାନକୁ ନଯିବା ପାଇଁ ମହାରାଷ୍ଟ୍ରରେ କଟକଣା ଲାଗିଛି। ସେପଟେ ଏଚଏମପିଭିକୁ ନେଇ ଭୟଭୀତ ନହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପରାମର୍ଶ ଦେଇଛନ୍ତି। କହିଛନ୍ତି ଏହା ନୂଆ ଭୂତାଣୁ ନୁହେଁ, ୨୦୦୧ରେ ପ୍ରଥମେ ଚିହ୍ନଟ ହୋଇଥିଲା। ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ତୀକ୍ଷ୍ଣ ନଜର ରଖିଛି ବୋଲି କହିଛନ୍ତି ଜେପି ନଡ୍ଡା।
ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ବିବୃର୍ତ୍ତି ରହିଛି। ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରଣାଳୟ କହିଛି। ବଡ଼ କଥା ହେଉଛି ଯେ, କୌଣସି ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ । ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢ଼ିଛି। କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି।