ଏଚ୍‌ଏମ୍‌ପିଭିକୁ ନେଇ ଭୟଭୀତ ହେବାର ନାହିଁ

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ୍ (ଏଚ୍‌ଏମ୍‌ପିଭି) ଏବେ ଭାରତରେ ପହଞ୍ଚିଛି। ଦେଶରେ ୬ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ୨ ଶିଶୁଙ୍କଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସର୍ବସାଧାରଣରେ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁଜରାଟରୁ ଜଣେ ଏବଂ କୋଲକାତାରୁ ୧ ଏବଂ ଚେନ୍ନାଇରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ।

ଜନସାଧାରଣଙ୍କୁ ସର୍ବସାଧାରଣ ସ୍ଥାନରେ କାଶିବା ଓ ଛିଙ୍କିବା ସମୟରେ ମୁହଁ ଓ ନାକକୁ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦେବା ସହ ହାତକୁ ବାରମ୍ବାର ସାବୁନରେ ଧୋଇବା ଏବଂ ଲକ୍ଷଣ ଥିଲେ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦେଇଛି। ସଂକ୍ରମିତ ସମ୍ପର୍କୀୟଙ୍କ ରୁମାଲ, ଟାୱେଲ ଆଦିକୁ ବ୍ୟବହାର ନ କରିବା ପାଇଁ ମନ୍ତ୍ରଣାଳୟ ସୁପାରିସ୍ କରିଛି। ଗତ ଡିସେମ୍ବର ୧୬ରୁ ଚାଇନାରେ ସର୍ବାଧିକ ଏଚ୍‌ଏମ୍‌ପିଭି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଏଚ୍‌ଏମ୍‌ପିଭି ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ ଚିକିତ୍ସା ପଦ୍ଧତି କିମ୍ବା ଟିକା ନ ଥିବାରୁ ଏହାର ଲକ୍ଷଣ ଦୂର କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଶୀତଋତୁରେ ଶ୍ୱାସଜନିତ ରୋଗର ମୁକାବିଲା ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ନେଟ୍‌ୱର୍କ ସବୁପ୍ରକାର ସ୍ୱାସ୍ଥ୍ୟଜନିତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) କର୍ନାଟକରେ ନିୟମିତ ସର୍ଭିଲାନ୍ସ ପରେ ୨ ଏଚ୍‌ଏମ୍‌ପିଭି ସଂକ୍ରମିତଙ୍କୁ ଚିହ୍ନଟ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ବ୍ରୋଞ୍ଚୋନିମୋନିଆରେ ଆକ୍ରାନ୍ତ ଥିବା ଜଣେ ୩ ମାସର ଶିଶୁକନ୍ୟା ବେଙ୍ଗାଲୁରୁର ବାପ୍‌ଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହେବାପରେ ତାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଗତ ୩ ତାରିଖରେ ବାପ୍‌ଟିଷ୍ଟ ହସ୍ପିଟାଲରେ ଜଣେ ୮ ମାସର ଶିଶୁପୁତ୍ରଠାରେ ଏଚ୍‌ଏମ୍‌ପିଭି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ସେ ଏବେ ସୁସ୍ଥ ହେଉଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର ବିଦେଶ ଭ୍ରମଣ ସହ କୌଣସି ସମ୍ପର୍କ ନାହିଁ। ଭାରତ ସମେତ ସାରା ବିଶ୍ୱରେ ଏହି ଭୂତାଣୁ ପୂର୍ବରୁ ବ୍ୟାପିଥିଲା। ବିଭିନ୍ନ ଦେଶରେ ଶ୍ୱାସକ୍ରିୟାଜନିତ ରୋଗ ବିଭିନ୍ନ ସମୟରେ ଚିହ୍ନଟ ହୋଇଥାଏ ବୋଲି ମନ୍ତ୍ରଣାଳୟ କହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *