ପଞ୍ଜାବ: ରାମଲଲାଙ୍କ ଲାଗିଲା ଡ଼ୋରି । ଶହେ କି ଦୁଇ ଶହ ନୁହେଁ, ଏକ ହଜାର କିମି ଦୌଡ଼ିି ରାମଲଲାଙ୍କୁ ଦର୍ଶନ କଲେ ୬ ବର୍ଷର ବାଳକ । ଆଉ ତାଙ୍କର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ଏହି କୁନି ବାଳକ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ରାମ ଲଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ ସମାରୋହର ପ୍ରଥମ ବାର୍ଷିକୀ ପୂର୍ବରୁ, ଅଯୋଧ୍ୟାରେ କେତେଜଣ ଅସାଧାରାଣ ଆଗନ୍ତୁକ ପହଞ୍ଚିଛନ୍ତିି, ଯେଉଁଥିରେ ଜଣେ ଛଅ ବର୍ଷର ବାଳକ ଏବଂ ଜଣେ ଦେଶୀ ‘ଟାର୍ଜନ’ ମଧ୍ୟ ସାମିଲ ହୋଇଛନ୍ତି। ପଞ୍ଜାବର ଫାଜିଲକା ଜିଲା କିଲିଆନୱାଲି ଗାଁର ମୋହବତ ଏକ ହଜାର କିଲୋମିଟର ଯାତ୍ରା କରି ଅଯୋଧ୍ୟା ପହଞ୍ଚିଛନ୍ତି। ଏହି ଛୋଟ ବାଳକଟି ଅଯୋଧ୍ୟାର ରାମ ମନ୍ଦିର ଦର୍ଶନ କରିବାର ସ୍ୱପ୍ନ ଦେଖିଥିଲେ । ଏହାକୁ ପୂରଣ କରିବା ପାଇଁ ସେ ଏକ ହଜାର କିଲୋମିଟର ଦୌଡ଼ି ଦୌଡି ଅଯୋଧ୍ୟା ଆସିଛନ୍ତି । ଏଥିଲାଗି ତାଙ୍କୁ ଗୋଟେ ମାସ ୨୩ ଦିନ ସମୟ ଲାଗିଥିଲା । ଏହି ସମୟ ମଧ୍ୟରେ, ତାଙ୍କ ମାତାପିତା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଥିଲେ, ଯାହା ଦ୍ୱାରା ତାଙ୍କ ଯାତ୍ରା ସୁରକ୍ଷିତ ହୋଇପାରିବ।
ସେହିପରି ଦେଶୀ ‘ଟାର୍ଜନ’ ଭାବରେ ପ୍ରସିଦ୍ଧ ସଞ୍ଜୟ ସିଂହ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି । ହରିୟାଣାର ପଲୱାଲର ବାସିନ୍ଦା ସଞ୍ଜୟ ସିଂହ ତାଙ୍କର ଅନନ୍ୟ ଜୀବନଶୈଳୀ ପାଇଁ ଖୁବ୍ ପ୍ରସିଦ୍ଧ। ସେ କୌଣସି ଖାଦ୍ୟ ଖାଇ ନ ଥାନ୍ତି । କେବଳ ଗାଈ କ୍ଷୀର ହିଁ ପିଇ ରହିଥାନ୍ତି । ଏହା ସହିତ ସେ ସାବୁନ ବ୍ୟବହାର କରିବା ପରିବର୍ତ୍ତେ, ସେ ଗୋବରରେ ଗାଧୋଇଥାନ୍ତି । ଏମିତି କି ଗୋମୂତ୍ର ସେବନ କରନ୍ତି। କେବଳ ଏତିକି ନୁହେଁ, ସଞ୍ଜୟ ସିଂହ ତାଙ୍କ ଦୈନନ୍ଦିନ ଜୀବନରେ ୫,୦୦୦ ପୁସ-ଅପ କରି ଅନେକ ରେକର୍ଡ କରିଛନ୍ତି, ଯେଉଁଥିରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ମଧ୍ୟ କରିଛନ୍ତି ।