ମୁମ୍ବାଇ: ଜୀବନ ହାରିଲେ ଛୋଟ ପରଦାର ଜଣାଶୁଣା ଅଭିନେତା ନିତିନ ଚୌହାନ । ଗୁରୁବାର ମୁମ୍ବାଇରେ ତାଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୫ବର୍ଷ ବୟସ ହୋଇଥିଲା । ୟୁପିର ଅଲିଗଡ ଜିଲ୍ଲାର ବାସିନ୍ଦା ନିତିନ ଏମଟିଭିର ‘ସ୍ପିଲଟ୍ସଭିଲା ସିଜନ ୫’ ମଧ୍ୟ ଜିତିଥିଲେ । ଏହା ବ୍ୟତୀତ ସେ ଜିନ୍ଦେଗି ଡଟ୍ କମ୍, କ୍ରାଇମ ପାଟ୍ରୋଲ୍ ଏବଂ ଫ୍ରେଣ୍ଡସ୍ ଭଳି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସେ କ୍ରାଇମ ପାଟ୍ରୋଲରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିଲେ । ଏହି ଖବର ଜଣାପଡ଼ିବା ପରେ ସିନେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ରିୟଲିଟି ସୋ ‘ଦାଦାଗିରି ୨’ ଜିତିବା ପରେ ବେଶୀ ଲୋକପ୍ରିୟ ହୋଇଥିଲେ ନିତିନ । ନିତିନଙ୍କୁ ଶେଷ ଥର ପାଇଁ ୨୦୨୨ରେ ସବ୍ ଟିଭିର ‘ତେରା ୟାର ହୁଁ ମେଁ’ ସୋ’ରେ ଦେଖିବାକୁ ମିଳିଥିଲା । ସୋ’ରେ ତାଙ୍କ ସହ ଅଭିନୟ କରିଥିବା ସୁଦୀପ ସାହିର ଏବଂ ସାୟନ୍ତନୀ ଘୋଷ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଥିଲେ । କିଭଳି ନିତିନଙ୍କ ମୃତ୍ୟୁ ହୋଇଛି ତାହା ଜାଣି ନ ଥିବା କହିଛନ୍ତି । ଅନ୍ୟପକ୍ଷରେ ତାଙ୍କର ଜଣେ ପୂର୍ବତନ ସହ-କଳାକାର ବିଭୁତି ଠାକୁରଙ୍କ ପୋଷ୍ଟ ଅନୁଯାୟୀ ନିତିନ ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ, ନିତିନଙ୍କ ବାପା ତାଙ୍କ ପାର୍ôଥବ ଶରୀରକୁ ଅଲିଗଡ଼ ନେଇଯାଇଛନ୍ତି । ତେବେ କେଉଁ କାରଣରୁ ନିତିନ ଏଭଳି ପଦକ୍ଷେପ ନେଇଛନ୍ତି, ତାହା ଜଣାପଡ଼ିନାହିଁ ।