ପ୍ରଥମ ବୁଡ ପକାଇଲେ ଶ୍ରଦ୍ଧାଳୁ

ପ୍ରୟାଗରାଜ: ଆରମ୍ଭ ହେଲା ମହାକୁମ୍ଭ। ଜନ ସମୁଦ୍ର ହେଲା ପ୍ରୟାଗରାଜ ଘାଟ। ଆଜିଠୁ ୪୫ ଦିନ ଧରି ଚାଲିବ ମହାକୁମ୍ଭ ମେଳା ।  ଏଥିରେ ଦେଶ ବିଦେଶରୁ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଗଙ୍ଗା, ଯମୁନା ଓ ସରସ୍ବତୀର ମିଳନ ସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରବଳ ଭିଡ଼ ।  ମହାକୁମ୍ଭ ମେଳାର ପ୍ରମୁଖ ଆକର୍ଷଣ ରହିଛି ଶାହୀ ସ୍ନାନ। ଆସନ୍ତାକାଲି ମକରସଂକ୍ରାନ୍ତିରେ ପ୍ରଥମ ଶାହୀ ସ୍ନାନ ତିଥି ଥିବାବେଳେ ଜାନୁୟାରୀ ୨୯ରେ ଦ୍ୱିତୀୟ ଓ ଫେବୃୟାରୀ ୩ରେ ତୃତୀୟ ଶାହୀ ସ୍ନାନ ତିଥି ପଡିଛି । 

୧୪୪ ବର୍ଷ ପରେ ଏହି ଅନନ୍ୟ ଓ ଦିବ୍ୟ ତିଥି ପଡ଼ିଥିବାରୁ ଏହାର ମାହାତ୍ମ ବଢ଼ି ଯାଇଛି। ପୌଷ ପୂର୍ଣ୍ଣିମା ତଥା ଆଜି ଠାରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆସନ୍ତା ଫେବୃଆରୀ ୨୬ରେ ସରିବ । ମେଳା ଆରମ୍ଭର ପ୍ରଥମ ଦିନରେ ଗଙ୍ଗାରେ ବୁଡ ପକାଇଛନ୍ତି ଲକ୍ଷ ଲକ୍ଷ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ । ସେପଟେ ସ୍ନାନ ପାଇଁ ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏଥର ପ୍ରାୟ ୪୦ ରୁ ୪୫ କୋଟି ଲୋକ ମହାକୁମ୍ବକୁ ଆସିବେ ବୋଲି ଆଶା କରାଯାଉଛି । ତେବେ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଗତକାଲି ଗଙ୍ଗାରେ ବୁଡ ପକାଇଥିଲେ ।

ମହାକୁମ୍ଭ ମେଳା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।  ମହାକୁମ୍ଭ ମେଳା ପାଇଁ ଦେଢ଼ ଲକ୍ଷ ଅସ୍ଥାୟୀ ଟେଣ୍ଟ କରାଯାଇଛି।ଶ୍ରଦ୍ଧାଳୁମାନଙ୍କ ରହିବା ଖାଇବା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ବେଳେ ଗଙ୍ଗା ନଦୀରେ ମଧ୍ୟ ଟ୍ୟୁବ ସାହାଯ୍ୟରେ ୨୫ରୁ ଉର୍ଦ୍ଧ୍ବ ଅସ୍ଥାୟୀ ସେତୁ ନିର୍ମାଣ କରାଯାଇଛି । ମହାକୁମ୍ଭ ମେଳା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ରାପିଡ ଆକ୍ସନ ଫୋର୍ସ, ପୋଲିସ ଓ ସିଆରପିଏଫ ମୁତୟନ ହୋଇଛନ୍ତି । ୧୨ ବର୍ଷ ପରେ ପ୍ରୟାଗରାଜରେ ହେଉଥିବା ଏହି ମହାକୁମ୍ଭ ମେଳାର ବିଶେଷ ଗୁରୁତ୍ୱ ରହିଛି। ୧୪୪ ବର୍ଷ ପରେ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଗ୍ରହ ସରଳ ରେଖାରେ ରହୁଥିବାରୁ ଏହା ବିଶେଷ ଯୋଗ ସୃଷ୍ଟି କରିଛି । ତେଣୁ ଚଳିତ ବର୍ଷର କୁମ୍ଭ ମେଳାର ବେଶ ମହତ୍ୱ ରହିଛି ।

ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ମାନେ ପହଞ୍ଚି ପୌଷ ପୂର୍ଣ୍ଣିମା ତଥା ଆଜି ଓ ଆସନ୍ତାକାଲି ତଥା ମକର ସଂକ୍ରାନ୍ତି ଦିନ ସାହି ସ୍ନାନ କରିବେ। ପ୍ରଥମେ ସାଧୁ ଓ ମଠ ମହନ୍ତମାନେ ସ୍ନାନ କରିବା ପରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏହି ଧାର୍ମିକ ଉତ୍ସବକୁ ଅନେକ ଭିଆଇପି, ଭିଭିଆଇପି ଓ କୋଟିପତି ମଧ୍ୟ ଆସିବେ ବୋଲି ଆଶା କରାଯାଉଛି। ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଲୋକ ଆସି ଆଜି ବୁଡ ପକାଇଛନ୍ତି । “ଭାରତ ହେଉଛି ବିଶ୍ଵର ଆଧ୍ୟାତ୍ମିକ ହୃଦୟ । ଗଙ୍ଗାରେ ବୁଡ ପକାଇ ନିଜକୁ ଧନ୍ୟମନେ କରିବା ସହ ଆତ୍ମା ପବିତ୍ର ହୋଇଗଲା” ବୋଲି କହିଛନ୍ତି ଜଣେ ବିଦେଶୀ ଭକ୍ତ ।

ସେପଟେ ମେଳା ସ୍ଥାନରେ ସରକାର କଡା ବ୍ୟବସ୍ଥା କରିଛନ୍ତି। ଶ୍ରଦ୍ଧାଳୁଙ୍କ ରହିବା ଏବଂ ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ ସମାବେଶ ମହାକୁମ୍ଭ ମେଳା ୨୦୨୫ । କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନକୁ ଆକଳନ କରି ରାଜ୍ୟ ସରକାର ପୋଲିସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ସୁବିଧା କରିଛନ୍ତି । ଚଳିତବର୍ଷ ମେଳାରେ ଏଆଇ ପରି ଆଧୁନିକ ପ୍ରଯୁକ୍ତିକୁ ବି ବ୍ୟବହାର କରାଯାଇଛି । ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍‌ଇଡି ଡିସପ୍ଲେ, ଅତ୍ୟାଧୁନିକ ଏଆଇ ଚାଳିତ ଡାଟା ଆନାଲିଟିକ୍ସ ସଲ୍ୟୁସନ୍ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି । ଏଥର ହଜିଲା ଲୋକଙ୍କୁ ଖୋଜିବା ପାଇଁ ‘ଭୁଲେ-ଭଟକେ କେନ୍ଦ୍ର’ ପରି ଏକ ଆଧୁନିକ ବ୍ୟବସ୍ଥା କରାଯାଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *