ସୁଖବିନ୍ଦରଙ୍କୁ ପରିହାସ କରି ସିଙ୍ଗଡ଼ା ପାର୍ଟି ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ସିମ୍‌ଲା: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ପରିହାସ କରି ସିଙ୍ଗଡ଼ା ପାର୍ଟି ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଏହି ପାର୍ଟିରେ ଅନେକ ବିଜେପି କର୍ମୀ ସାମିଲ ହୋଇଥିଲେ । ସମସ୍ତଙ୍କୁ ସିଙ୍ଗଡ଼ା ବଣ୍ଟନ କରାଯାଇଥିଲା । ଏହି ପାର୍ଟିର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷ୍ର ହୋଇଛି ।


ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶୁକ୍ରବାର ବିଜେପି କର୍ମୀଙ୍କ ପାଇଁ ଏକ ସିଙ୍ଗଡ଼ା ପାର୍ଟିର ଆୟୋଜନ କରିଥିଲେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ପରିହାସ କରି ସେ ଏହି ପାର୍ଟିର ଆୟୋଜନ କରିଥିଲେ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ତାଙ୍କ ବଦଳରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଦିଆଯାଇଥିବା ‘ସିଙ୍ଗଡ଼ା’ର ସିଆଇଡି ଯାଞ୍ଚ କରିବାକୁ କହି ଚର୍ଚ୍ଚାର ପରିସରରେ ରହିଛନ୍ତି, ତାହାକୁ ପରିହାସ କରି ଏହି ପାର୍ଟି ଆୟୋଜନ କରିଛନ୍ତି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଠାକୁର । ପାର୍ଟି ସମୟର ଭାଇରାଲ୍ ଭିଡିଓରେ ଦର୍ଶାଯାଇଛି ଯେ, ହିମାଚଳ ପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଠାକୁର ଲୋକପ୍ରିୟ ସିଙ୍ଗଡ଼ାର ସ୍ୱାଦ ନେଇ ଉପଭୋଗ କରୁଛନ୍ତି ।


ଏହି ଘଟଣାକୁ ନେଇ ହିମାଚଳ ପ୍ରଦେଶ ସିଆଇଡିର ମହାନିର୍ଦ୍ଦେଶକ ସଞ୍ଜୀବ ରଂଜନ କହିଛନ୍ତି ଯେ, ଏହା ଏକ ଆଭ୍ୟନ୍ତରୀଣ ମାମଲା। ଏହାକୁ ନେଇ ବେଶି ଆଲୋଚନା କରା ନ ଯାଉ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ବରାଦ ହୋଇଥିବା ଜଳଖିଆ ବକ୍ସ ନ ମିଳିବାରୁ ତାହା କୁଆଡ଼େ ଗଲା ବାସ୍ ସାଧାରଣ ଭାବେ ପଚରା ଯାଇଛି। ତାହାକୁ ଅତିରଞ୍ଜିତ କରା ନ ଯାଉ।


ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ ରାଜ୍ୟ ସିଆଇଡି ଅଫିସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାହାରୁ ସିଙ୍ଗଡା ଓ କେକ୍ ଅଣାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଖାଇବା ସମୟରେ ଖାଦ୍ୟ ନ ଥିଲା । ଯାହା ପରେ ସିଆଇଡି କର୍ତ୍ତୃପକ୍ଷ ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ । ଭୁଲବଶତଃ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ସିଙ୍ଗଡା ଓ କେକ ସେଠାରେ ଉପସ୍ଥିତ ଷ୍ଟାଫମାନଙ୍କୁ ବଣ୍ଟାଯାଇଥିବା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିଲା । ଏହି ଘଟଣାଟି ଏବେ ରାଜ୍ୟ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସିଆଇଡି ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ଖାଦ୍ୟ ଜଣେ ମହିଳା ଅଧିକାରୀଙ୍କୁ ସର୍ଭ କରିବା ପାଇଁ ଦିଆଯାଇଥିଲା । କିନ୍ତୁ ସେ କାହାରିକୁ ନ ପଚାରି ସେ ଖାଦ୍ୟକୁ ଅନ୍ୟ ଷ୍ଟାଫଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ଏହି ଘଟଣାକୁ ନେଇ ରାଜ୍ୟ ସିଆଇଡ଼ି ଅନୁସନ୍ଧାନ ଚଳାଇଥିଲା। ଏନେଇ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କେବଳ ଏତିକି ନୁହେଁ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *