ନୂଆଦିଲ୍ଲୀ : ନିଜର ବୟାନବାଜି ଯୋଗୁଁ ଚର୍ଚ୍ଚାରେ ଥିବା ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୦ ଜାନୁଆରୀରେ ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ। ଆମେରିକୀୟ ରାଷ୍ଟ୍ରପତି ଭାବେ ଏହା ଟ୍ରମ୍ପଙ୍କର ଶେଷ କାର୍ଯ୍ୟକାଳ । ଏଥିପାଇଁ ତାଙ୍କର ପଦକ୍ଷେପ ଉପରେ ସାରା ଦୁନିଆର ନଜର ରହିବ। ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ ନିଜର ଦୃଢ ଦାମ୍ଭିକତା ଦେଖାଇବା ଆରମ୍ଭ କରି ଦେଇଛନ୍ତି। ଏବେ ଚୀନ୍ରେ ଟ୍ରମ୍ପଙ୍କ ଭଗବାନ ବୁଦ୍ଧ ଭଳି ପ୍ରତିମା ବିକ୍ରି ହେଉଛି। ଏହାକୁ ନିର୍ମାଣ କରିଥିବା ମୂର୍ତ୍ତିଶିଳ୍ପୀ ଏହା ତିଆରି କରିବା ପଛର କାରଣ ମଧ୍ୟ କହିଛନ୍ତି।
ଚୀନ୍ର ଗ୍ରାମୀଣ ଅଞ୍ଚଳରେ ଜଣେ ଶିଳ୍ପୀ ଟ୍ରମ୍ପଙ୍କ ଭଗବାନ ବୁଦ୍ଧଙ୍କ ଭଳି ପ୍ରତିମା ଗଢିଛନ୍ତି। ହେଲେ ଏହା ପ୍ରଥମ ଥର ନୁହେଁ, ୨୦୨୧ରେ ମଧ୍ୟ ଇ-କମର୍ସ ପ୍ଲାଟଫର୍ମ ତାଓବାଓରେ ଟ୍ରମ୍ପଙ୍କ ଏମିତି ହିଁ ପ୍ରତିମା ଖୁବ୍ ଭାଇରାଲ ହେଉଥିଲା। ଏହିଥର ଟ୍ରମ୍ପଙ୍କ ଏହି ରୂପ ତିଆରି କରି ଥିବା ଶିଳ୍ପୀଙ୍କର ନାଁ ହାଙ୍ଗ ଜିନସି। ଟ୍ରମ୍ପଙ୍କର ଏହି ପ୍ରତିମା ଭଗବାନ ବୁଦ୍ଧଙ୍କ କଥା ମନେପକାଇ ଦେଉଛି। ଟ୍ରମ୍ପ ବୁଦ୍ଧଙ୍କ ଭଳି ମୁଦ୍ରାରେ ଆଖି ବନ୍ଦ କରି ଶାନ୍ତରେ ବସିଛନ୍ତି। ହାଙ୍ଗ ଟ୍ରମ୍ପଙ୍କ ଆକାରର ଆଧାରରେ ପ୍ରତିମାର ମୂଲ୍ୟ ସ୍ଥିର କରିଛନ୍ତି। ଏହା ୯୯୯ରୁ ୨୦,୦୦୦ ୟୁଆନ (ପାଖାପାଖି ୧୪୦ ଡଲାରରୁ ୨୭୦୦ଡଲାର) ମଧ୍ୟରେ ବିକ୍ରି ହେଉଛି। ହାଙ୍ଗ କହିଛନ୍ତି ଯେ, ଏହି ମୂର୍ତ୍ତି ଗୁଡ଼ିକୁ ମଜାଳିଆ ଭାବେ ଡିଜାଇନ୍ କରାଯାଇଛି। ନିର୍ବାଚନ ଜିତିବା ପର ଠାରୁ ଲୋକଙ୍କ ମନରେ ଟ୍ରମ୍ପଙ୍କ ପ୍ରତି ରୁଚି ବଢି ଯାଇଛି।