ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ କୁମ୍ଭମେଳା । ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ସାଧୁ-ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଇତିମଧ୍ୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁସନ୍ଥ ଏହି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସାରିଲେଣି । ଏଥର ମହାକୁମ୍ଭରେ ସାଧୁ-ସନ୍ଥଙ୍କ ଆଗମନ ବିଶ୍ୱସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛିି । ବିଳାସପୂର୍ଣ୍ଣ ଗାଡ଼ିରେ ସାଧୁସନ୍ଥମାନେ ମହାକୁମ୍ଭକୁ ଏଣ୍ଟ୍ରି କରୁଛନ୍ତି । ୨୫ ଲକ୍ଷରୁ ୨୦ କୋଟି ମୂଲ୍ୟର ରେଞ୍ଜ୍ ରୋଭର, ରୋଲ୍ସ-ରୟସ, ଅଡି କ୍ୟୁ୭, ମର୍ସିଡିଜ୍ ବେଞ୍ଜ୍ ଓ ଡିଫେର୍ଣ୍ଡ ଭଳି ବିଳାସପୂର୍ଣ୍ଣ କାରରେ ସେମାନେ ମହାକୁମ୍ଭରେ ପହଞ୍ଚିଛନ୍ତି । ଯାହା ପରମ୍ପରା ଓ ସଂସ୍କୃତିରେ ବିଳାସବହୁଳତାର ସ୍ପର୍ଶ ଦେଇଛି । ଏବେ ଏହି ବିଳାସପୂର୍ଣ୍ଣ କାରରେ ମହାକୁମ୍ଭକୁ ଆସୁଥିବା ବାବାମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ସାଧାରଣ ଲୋକ ଚକିତ ହୋଇଯାଇଛନ୍ତି ।
ଆଖଡ଼ାଗୁଡ଼ିକର ଅନେକ ସନ୍ଥ କହିଛନ୍ତି ଯେ, ଅଧିକାଂଶ ବିଳାସପୂର୍ଣ୍ଣ ବାହନ ସେମାନଙ୍କର ବରିଷ୍ଠ ଗୁରୁ ଯଥା- ପୀଠାଧୀଶ୍ୱର, ମହାମଣ୍ଡଳେଶ୍ୱର, ମହନ୍ତ ଓ ମଣ୍ଡଳେଶ୍ୱରଙ୍କର । ଖୁବ୍ କମ୍ ବାହନ ସେମାନଙ୍କ ଶିଷ୍ୟଙ୍କର । ଏହି ବିଳାସପୂର୍ଣ୍ଣ କାରଗୁଡ଼ିକ ମେଳା କ୍ଷେତ୍ରରେ ପଇଁତରା ମାରୁଥିବା ଦେଖିବାକୁ ମିଳୁଛି । ଖାସ୍କରି ସହରର ଭିଆଇପି ମାର୍ଗ ସେକ୍ଟର-୨୦ରେ ଥିବା ତ୍ରିବେଣୀ ମାର୍ଗ ଓ କାଳୀ ମାର୍ଗରେ ଏଗୁଡ଼ିକୁ ଦେଖିବାକୁ ମିଳୁଛି । ପେଶୱାଈ ନାମରେ ପ୍ରସିଦ୍ଧ କୁମ୍ଭମେଳାର ଉଦ୍ଘାଟନୀ ଶୋଭାଯାତ୍ରାରେ ଏହି ବିଳାସବହୁଳ ବାହନଗୁଡ଼ିକ ପ୍ରଥମେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଶୋଭାଯାତ୍ରାରେ ମହାକୁମ୍ଭରେ ଆଖଡ଼ାମାନଙ୍କର ଆଗମନ ହୋଇଥାଏ । ଏଥିରେ କାର, ରଥ, ହାତୀ, ଘୋଡ଼ା, ଆକ୍ରୋବାଟିକ୍ସ ଓ ମାର୍ଶଲ ଆର୍ଟ ଆଦି ସାମିଲ ହୋଇଥାଏ ।
ଶୋଭାଯାତ୍ରା ସମୟରେ ସର୍ବବୃହତ ଆଖଡ଼ା ଶ୍ରୀ ପଞ୍ଚଦଶନାମ ଜୁନା ଆଖଡ଼ା ଓ କିନ୍ନର ଆଖଡ଼ା ନେତୃତ୍ୱ ନେଇଥିଲେ । ଜୁନା ଆଖଡ଼ାର ମହାମଣ୍ଡଳେଶ୍ୱର ପବିତ୍ରାନନ୍ଦ ଗିରୀ ଭିଣ୍ଟେଜ୍ ୧୯୬୫ ରୋଲ୍ସ ରୟସରେ ଆସିଥିଲେ । କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଭବ୍ୟ ଦେବତା ଯାତ୍ରାରେ ଏକ ବିଶାଳ ରୁପାର ସିଂହାସନରେ ବସିଥିଲେ । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ର ସଦସ୍ୟ ସ୍ୱାମୀ ବାସୁଦେବାନନ୍ଦ ୨୦ କୋଟିର ଦୁଇଟି ରୋଲ୍ସ-ରୟସର ମାଲିକ ।
ସେହିପରି ତୁଳସୀ ପୀଠର ମୁଖ୍ୟ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କର ଗେରୁଆ ରଙ୍ଗର ଏକ ଅଡି କାର ଅଛି, ଯାହାର ମୂଲ୍ୟ ୫୦ ଲକ୍ଷଟଙ୍କା । ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ୧.୫ କୋଟି ମୂଲ୍ୟର ଏକ ଭ୍ୟାନ୍ରେ ମହାକୁମ୍ଭରେ ପହଞ୍ଚିଥିଲେ । ଏହି ଭ୍ୟାନିଟି ଭ୍ୟାନ୍ ତାଙ୍କର ଦିବଂଗତ ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କର । ହିନ୍ଦୁତ୍ୱକୁ ଧ୍ୟାନରେ ରଖି ଅଧିକାଂଶ ବାବା ଧଳା ରଙ୍ଗର ବାହନକୁ ଗେରୁଆ ରଙ୍ଗରେ ରଙ୍ଗାଇଛନ୍ତି । ଅନେକ କାରର ମାଲିକ ପ୍ରତୀକ ଓ ନେମ୍ପ୍ଲେଟ୍ ମାଧ୍ୟମରେ ନିଜର କିମ୍ବା ସମ୍ପୃକ୍ତ ସଂଗଠନକୁ ଗର୍ବର ସହ ଦର୍ଶାଉଛନ୍ତି ।