କର୍ତ୍ତବ୍ୟ ପଥରେ ଉଡିଲା ତ୍ରିରଙ୍ଗା: ଶକ୍ତି ପ୍ରଦର୍ଶନ କଲା ବାୟୁସେନାର ଲଢୁଆ ବିମାନ

ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସକୁ ନେଇ ସବୁଠି ଉଲ୍ଲାସ ଉତ୍ସାହ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ଜାତୀୟ ପତାକା ତ୍ରିରଙ୍ଗା । ବଖାଣୁଛି ବୀରତ୍ୱ ଓ ଶୌର୍ଯ୍ୟର ଗାଧା। ପବନରେ ଭାସି ଆସୁଛି ବନ୍ଦେ ମାତରମ, ଜୟ ହିନ୍ଦ୍ ଧ୍ୱନୀ । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭବ୍ୟ ପରେଡରେ ବିଶ୍ୱ ଦେଖିଲା ଭାରତର ଶକ୍ତି । ରଙ୍ଗାରଙ୍ଗ ପରେଡରେ ଦୁଲୁକିଥିଲା କର୍ତ୍ତବ୍ୟ ପଥ । ଭାରତର ଐତିହ୍ୟ ସଂସ୍କୃତି ସହ ସେନାର ପରାକ୍ରମ କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ୨୧ ତୋପ ସଲାମୀ ଦିଆଯାଇଥିଲା। ତାଙ୍କ ସହିତ ମୁଖ୍ୟ ଅତିଥି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିଆଣ୍ଟୋ ମଧ୍ୟ ଉପସ୍ଥିତ ଥିଲେ। ଏହି ପରେଡରେ ବ୍ରହ୍ମୋସ କ୍ଷେପଣାସ୍ତ୍ର, ପିନାକା ମଲ୍ଟି-ଲଞ୍ଚର ରକେଟ୍ ସିଷ୍ଟମ, ଅଗ୍ନିବାଣ, ୧୨୨ ଏମଏମ ମଲ୍ଟିପଲ୍ ବ୍ୟାରେଲ୍ ରକେଟ୍ ଲଞ୍ଚର, ଆକାଶ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପ୍ରଦର୍ଶିତ ହୋଇଥିଲା । ଯାହା ସବୁଠୁ ବେଶୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ସେହିପରି ପ୍ରଥମ ଥର ପାଇଁ ପ୍ରଳୟ କ୍ଷେପଣାସ୍ତ୍ର ବି ପ୍ରଦର୍ଶିତ ହୋଇଥିଲା । ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦ କିଲୋମିଟରରୁ ଅଧିକ। ସେହିପରି ନୌସେନାର ସ୍ୱଦେଶୀ ଯୁଦ୍ଧଜାହାଜ ଡିଜାଇନ୍ ପ୍ରଦର୍ଶିତ ହୋଇଥିବାବେଳେ କର୍ତ୍ତବ୍ୟ ପଥରେ ପରେଡରେ ଆଇଏନଏସ ସୁରତ ଏବଂ ନୀଳଗିରିର ପ୍ରତିକୃତି ଦେଖାଯାଇଥିଲା। ସେହିପରି କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ଭୀଷ୍ମ ଟ୍ୟାଙ୍କ ମଧ୍ୟ ନଜର ଆସିଥିଲା । ସେପଟେ ନୀଳ ଆକାଶର ଛାତି ଚିରି ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନାର ଲଢୁଆ ବିମାନ ।

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି । ‘ସ୍ୱର୍ଣ୍ଣିମ ଭାରତ, ବିକଶିତ ଓ ବିକାଶ’ ଥିମରେ ୧୬ ରାଜ୍ୟର ୧୦ ମନ୍ତ୍ରଣାଳୟର ୩୧ଟି ପ୍ରଜ୍ଞାପନ ମେଢ କଳା ପ୍ରଦର୍ଶନ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ସେନା ଗାଡି କ୍ୱିକ୍ ଆକ୍ସନ ଫୋର୍ସ ଭେଇକିଲ ‘ନନ୍ଦିଘୋଷ’ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋଟିଏ ପରେ ଗୋଟିଏ ପାରମ୍ପରିକ କଳା ପ୍ରଦର୍ଶିତ ହୋଇଥିଲା ।

ପରେଡ୍ ମାର୍ଗ ପାଇଁ ୬ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କର୍ତ୍ତବ୍ୟ ପଥର ପ୍ରଥମ ବାହ୍ୟ ସୁରକ୍ଷା ସ୍ତରରେ ଦିଲ୍ଲୀ ପୋଲିସ, ଅତିରିକ୍ତ ରିଜର୍ଭ ପୋଲିସ, କ୍ୱିକ୍ ରେସପନ୍ସ ଟିମ୍‌, ସ୍ୱାଟ୍ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ, ତଦନ୍ତକାରୀ ଦଳ ଏବଂ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ସମେତ ୧୫ ହଜାର କର୍ମଚାରୀ ମୁତୟନ ହୋଇଥିଲେ। ଦ୍ୱିତୀୟ ସୁରକ୍ଷା ସ୍ତରରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ରହିଥିଲେ । ରାଷ୍ଟ୍ରପତି ଭବନଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥିଲା । ତୃତୀୟ ସୁରକ୍ଷା ସ୍ତରରେ ସେନା କର୍ମଚାରୀ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର କମାଣ୍ଡୋ ଏବଂ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ସ୍ୱତନ୍ତ୍ର କର୍ମଚାରୀ ରହିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *