ସୋମନାଥ ମନ୍ଦିର ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ । କାରଣ ପୌରାଣିକ କଥା ଅନୁସାରେ ଏହାକୁ ଶିବଙ୍କ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ବୋଲି କୁହାଯାଏ। ଏହାକୁ ଚନ୍ଦ୍ରଦେବ ସୋମରାଜ ନିଜେ ନିର୍ମାଣ କରିଥିଲେ। ଗୁଜରାଟର ବେରାବଲ ବନ୍ଦରରେ ଅବସ୍ଥିତ ଏହି ମନ୍ଦିରର ଗୌରବ ଏବଂ ଖ୍ୟାତି ବହୁ ଦୂରକୁ ବ୍ୟାପିଥିଲା । ମହମୁଦ ଗଜନବୀ ୧୦୨୫ ମସିହାରେ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ, ଏହାର ସମ୍ପତ୍ତି ଲୁଟି ନେଇଥିଲେ ଏବଂ ଏହାକୁ ଧ୍ୱଂସ କରିଥିଲେ।
ଏହା ପରେ, ଗୁଜରାଟର ରାଜା ଭୀମ ଏବଂ ମାଲବାର ରାଜା ଭୋଜ ଏହାକୁ ପୁନଃନିର୍ମାଣ କରାଇଥିଲେ। ୧୨୯୭ ମସିହାରେ ଦିଲ୍ଲୀ ସଲତାନତ ଗୁଜରାଟ ଦଖଲ କରିବା ପରେ ଏହାକୁ ପୁଣି ଥରେ ଭାଙ୍ଗି ଦିଆଯାଇଥିଲା।ଆଜି ଯେଉଁ ମନ୍ଦିରଟି ରହିଛି ତାହା ଭାରତର ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଭାରତର ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ୧୯୯୫ ଡିସେମ୍ବର ୧ ତାରିଖରେ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ଜ୍ୟୋତିର୍ଲିଙ୍ଗ ବିଷୟରେ ଅନେକ କଥା ଅଛି ଯାହା ବହୁତ କମ୍ ଲୋକ ଜାଣନ୍ତି, ତେଣୁ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ସମୟରେ କିଛି ବିଶେଷ କଥା ଜାଣିବା।
ସୋମନାଥ ଜ୍ୟୋତିର୍ଲିଙ୍ଗ ବିଷୟରେ ବିଶ୍ୱାସ କରାଯାଏ ଯେ, ଚନ୍ଦ୍ର ଅର୍ଥାତ୍ ସୋମଙ୍କୁ ପ୍ରଜାପତି ଦକ୍ଷ ଯକ୍ଷ୍ମାରେ ପୀଡିତ ହେବାର ଅଭିଶାପ ଦେଇଥିଲେ। ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ, ଶିବ ଭକ୍ତ ଚନ୍ଦ୍ରମା ଆରବ ସାଗର କୂଳରେ ଭଗବାନ ଶିବଙ୍କ ତପସ୍ୟା କରିଥିଲେ। ଏଥିରେ ଖୁସି ହୋଇ ଶିବ ପ୍ରକଟ ହେଲେ ଏବଂ ଚନ୍ଦ୍ରଙ୍କୁ ଏକ ବର ଦେଲେ। ଚନ୍ଦ୍ରମାଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ପୂଜା ପାଉଥିବା ଶିବଲିଙ୍ଗ ଭଗବାନ ଶିବଙ୍କ ଆଶୀର୍ବାଦରୁ ସୋମେଶ୍ୱର ଅର୍ଥାତ୍ ସୋମନାଥ ଭାବରେ ଜଣାଶୁଣା ହେଲା।
ସୋମନାଥ ମନ୍ଦିର କାନ୍ଥରେ ଥିବା ଏହି ମୂର୍ତ୍ତିିର୍ଗୁଡ଼ିକ ମନ୍ଦିରର ମହିମାକୁ ଦର୍ଶାଏ। ସ୍କନ୍ଦ ପୁରାଣର ପ୍ରଭାସ୍କନ୍ଧରେ ଉଲ୍ଲେଖ ଅଛି ଯେ ପ୍ରତ୍ୟେକ ନୂତନ ସୃଷ୍ଟି ସହିତ ସୋମନାଥ ଜ୍ୟୋତିର୍ଲିଙ୍ଗର ନାମ ପରିବର୍ତ୍ତନ ହୁଏ। ଏହି କ୍ରମରେ ଯେତେବେଳେ ବର୍ତ୍ତମାନର ସୃଷ୍ଟି ସମାପ୍ତ ହେବ ଏବଂ ବ୍ରହ୍ମା ଏକ ନୂତନ ସୃଷ୍ଟି କରିବେ, ସେତେବେଳେ ସୋମନାଥଙ୍କ ନାମ ‘ପ୍ରାଣନାଥ’ ହେବ। ଜଳପ୍ଲାବନ ପରେ, ଯେତେବେଳେ ନୂତନ ସୃଷ୍ଟି ଆରମ୍ଭ ହେବ, ସେତେବେଳେ ସୋମନାଥକୁ ପ୍ରାଣନାଥ ବୋଲି କୁହାଯିବ। ମନ୍ଦିରର କାନ୍ଥରେ ଭଗବାନ ଶିବଙ୍କ ସହିତ ବ୍ରହ୍ମା ଏବଂ ବିଷ୍ଣୁଙ୍କ ମୂର୍ତ୍ତି ଅଛି। ସ୍କନ୍ଦ ପୁରାଣର ପ୍ରଭାସ ବିଭାଗରେ, ପାର୍ବତୀଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ ମହାଦେବ କହିଛନ୍ତି ଯେ ଏପର୍ଯ୍ୟନ୍ତ ସୋମନାଥଙ୍କର ଆଠଟି ନାମ ଅଛି।