ବଦଳିଲା ଶ୍ରୀମନ୍ଦିର ଧ୍ୱଜା ବନ୍ଧା ନୀତି ସମୟ

ପୁରୀ: କାର୍ତ୍ତିକ ମାସ ଯୋଗୁ ଏବେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଏଥିସହ କାର୍ତ୍ତିକ ବ୍ରତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହବିଷିଆଳି ମାଆମାନଙ୍କ ଭିଡ଼ ଜମିଛି। ଏନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ବିଧିବଦ୍ଧ ଭାବରେ ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ହବିଷିଆଳି ମାଆମାନେ କାର୍ତ୍ତିକ ବ୍ରତ ପାଳନ କରି ଆସୁଛନ୍ତି। ବିଭିନ୍ନ ତୀର୍ଥ ପୁଷ୍କରଣୀ ଓ ମହୋଦଧିରେ ସ୍ନାନ କରିବା ସହିତ ରାଧା ଦାମୋଦରଙ୍କୁ ପୂଜା କରୁଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି। ତା ସାଙ୍ଗକୁ ସନ୍ଧ୍ୟାରେ ଭଜନ ଓ ଜଣାଣ ଗାଇ ସମୟ କାଟୁଛନ୍ତି । କାର୍ତ୍ତିକ ମାସରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଧ୍ୱଜାବନ୍ଧା ନୀତି ସମୟ ପରିବର୍ତ୍ତନ କରାଯାଇଛି ।

ଶ୍ରୀମନ୍ଦିରରେ ଏବେ ଧ୍ୱଜାବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଚୁନରା ସେବକମାନଙ୍କୁ ସ୍ୱତନ୍ତ୍ର ଆଦେଶ ଦିଆଯାଇଛି। ପ୍ରତିିଦିନ ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ୱଜାବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଧ୍ୱଜାବନ୍ଧା ଦେଖିବା ପାଇଁ ମନ୍ଦିର ଭିତରେ ଓ ସିଂହଦ୍ୱାର ବାହାର ରାସ୍ତାରେ ବହୁ ଭକ୍ତ ଗହଳି କରୁଛନ୍ତି। ଏଣୁ ପରବର୍ତ୍ତୀ ସପ୍ତାହଟି ପାଇଁ ୩ଟା ୩୦ ମି ସମୟରେ ଧ୍ୱଜା ବନ୍ଧା ସମାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଚୁନରା ସେବକମାନଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *