ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଶକ୍ତି ଜୁଟାଇଛି ପ୍ରଧାନମନ୍ତ୍ରୀଙ୍କ ତୁଫାନୀ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ବହୁ ଟଣାଓଟରା, ଚେକ୍ ଓ ବାଲାନ୍ସ ପରେ ରାଜ୍ୟ ପଦ୍ମ ଗାଡ଼଼ିଆର ସମୁଦାୟ ୩୭ ସାଂଗଠନିକ ଜିଲ୍ଲା ମଧ୍ୟରୁ ୨୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଛି। କାରଣ ଶନିବାର ସୁଦ୍ଧା ବଳକା ୧୪ ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁକୁ ନେଇ ଅଙ୍କ ଛିଡ଼ିନାହିଁ। ଆସନ୍ତା ସପ୍ତାହରେ ରାଜ୍ୟ ସଭାପତିଙ୍କ ନାଁ ଚୂଡ଼ାନ୍ତ ହେବାର ସମ୍ଭାବନା ଥିବାବେଳେ ସଭାପତିଙ୍କ ନିଜ ଜିଲ୍ଲା ଭଦ୍ରକ ସମେତ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, ଯାଜପୁର ଓ କେନ୍ଦ୍ର ହେଭିୱେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦୀୟ କ୍ଷେତ୍ର୍ର ସମ୍ବଲପୁର ଭଳି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁକୁ ନେଇ ସହମତି ହୋଇପାରିନାହିଁ।

ଆମ ବିଶ୍ୱସ୍ତ ସୂତ୍ରର କହିବା ଅନୁସାରେ, ଏବେ ଧର୍ମେନ୍ଦ୍ରଙ୍କ ଶରଣାପନ୍ନ ହେଉଥିବା ବା ଶିବିରକୁ ଯାଉଥିବା ବିଭିନ୍ନ ଜିଲ୍ଲାର ନେତା ଓ ନେତ୍ରୀମାନଙ୍କୁ ସାଂଗଠନିକ ପଦପଦବୀରୁ ବିଦା କରି ଦିଆଯାଉଛି। ଆଉ ଏହାର ନଗଦ ଉଦାହରଣ ସାଜିଛି ଯାଜପୁର ଜିଲ୍ଲା। ଯାଜପୁର ସାଂଗଠନିକ ଜିଲ୍ଲା ପାଇଁ ଦଳର ଜଣେ ବରିଷ୍ଠ ନେତ୍ରୀଙ୍କୁ ସଭାନେତ୍ରୀ କରାଯିବା ଚୂଡ଼ାନ୍ତ ହୋଇଥିଲେ ହେଁ କେନ୍ଦ୍ର ମନ୍ତ୍ରୀଙ୍କ ଜଣେ ଅନୁଗତଙ୍କ ଜରିଆରେ ସଂପୃକ୍ତ ନେତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ପରେ ସେହି ବରିଷ୍ଠ ନେତ୍ରୀଙ୍କ ନାଁ ଶେଷ ମୁହୂର୍ତ୍ତରେ ଲଟକି ରହିଥିବା ଆମ ସୂତ୍ର ଯୁକ୍ତି ବାଢ଼ିଛି। ଯଦିଓ ରାଜ୍ୟ ସଭାପତିଙ୍କ ନିଜ ଜିଲ୍ଲାରେ ସଭାପତିଙ୍କ ନାଁ ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇନାହିଁ, ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁର ଓ ଅନୁଗୁଳରେ ମୁକୁଙ୍କ ଶିବିରକୁ ଚେକ୍ ଦେବାକୁ ସଭାପତି ଓ ସାଙ୍ଗଠନିକ ସଂପାଦକ ଅଡ଼ି ବସିଥିବା ସୂଚ୍ର ସୂଚନା ଦେଇଛି।

ସମ୍ବଲପୁରରେ ପ୍ରଧାନ-ପୂଜାରୀ-ମିଶ୍ର, ଏହିଭଳି ତିନିଟି କ୍ୟାମ୍ପରେ ଜିଲ୍ଲା ସଭାପତି ପଦକୁ ନେଇ ଛକାପଞ୍ଜା ତୀବ୍ର ହୋଇଛି। ଆମ ସୂତ୍ରର କହିବା କଥା, ଏବେ ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଙ୍ଗଠନିକ ସଂପାଦକ ମାନସ ମହାନ୍ତିଙ୍କ ଯୋଡ଼ି ଦଳୀୟ ସଂଗଠନରେ ମାଡ଼ି ରହିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଚେରକୁ କାଟିକୁଟି ସଫା କରିବାକୁ ପଣ କରିଛନ୍ତି। ଆଉ ଦିଲ୍ଲୀ ଶୀର୍ଷ ନେତୃତ୍ୱଙ୍କ ନିକଟରେ ଏହି ମନମୋହନ-ମାନସ ଯୋଡ଼ିର ତୁଣ୍ଡ ସାଜିଛନ୍ତି ପ୍ରଭାରୀ ବିଜୟ ପାଲ ସିଂହ ତୋମର । ଏପଟେ ରାଜ୍ୟ ସରକାରରେ ମନମୋହନ-ମାନସଙ୍କ ମୁହଁ ହୋଇ ମୁକୁ କ୍ୟାମ୍ପର ପ୍ରଭାବକୁ ରୀତିମତ୍ ଲଗାମ୍ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆମ ସୂତ୍ରର ଯୁକ୍ତି ଅନୁସାରେ ଅତୀତରେ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଚେକ୍ ଦେଇ ଦଳରେ ଓ କେନ୍ଦ୍ରର ତତ୍କାଳୀନ ବାଜପେୟୀ ସରକାରରେ ପ୍ରଧାନଙ୍କ ପକ୍ଷଛେଦନ କରିଥିବା ସଂଘ ପରିବାରର ଖାସ୍ ମନମୋହନ ସାମଲଙ୍କ ସହ ନଗଦ ଟକରାଟକରି ମୁକୁ ଭାଇଙ୍କ ପାଇଁ ଆଗକୁ ମହଙ୍ଗା ପଡ଼ିବା ସମ୍ଭାବନା ଅଧିକ। ଯଦିଓ ପ୍ରଭାବଶାଳୀ ଧର୍ମେନ୍ଦ୍ର ଏବେ ନୂଆ ସରକାରରେ ଥିବ ନିଜ ଅନୁଗତ ମନ୍ତ୍ରୀ ଓ ବିଧାୟକଙ୍କୁ ଧରି ରାଜ୍ୟବ୍ୟାପୀ ସମାନ୍ତରାଳ ଶକ୍ତି ପ୍ରଦର୍ଶନ ସହ ତାଙ୍କ ଚିରାଚରିତ ପ୍ରେସର୍ ପଲିଟିକ୍ସ ଜାରି ରଖିଛନ୍ତି ତଥାପି ସେ ଏଥିରେ ସଫଳ ହେବାର ଚାନ୍ସ କମ୍ ବୋଲି ଆମ ସୂତ୍ର ଆକଳନ କରିଛି।

ବଡ଼ କଥା ହେଉଛି, ନଗଦରେ ଢେଙ୍କାନାଳ ହେଉ କି ଆଗକୁ ଯାଜପୁର ଜିଲ୍ଲାର ସୁକିନ୍ଦା ଶିଳ୍ପ ମହୋତ୍ସବ, ଏହିସବୁ ଉତ୍ସବକୁ ଧର୍ମେନ୍ଦ୍ର ଅନୁଗତ ମନ୍ତ୍ରୀ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜାଣିଶୁଣି ଡାକିନାହାନ୍ତି। ତେବେ ସୂତ୍ରର ଯୁକ୍ତି ଅନୁସାରେ ରାଜ୍ୟ ପଦ୍ମ ଗାଡ଼ିଆ ଅନୁଭବୀ ଖେଳାଳି ମନମୋହନଙ୍କ ଗୋଟିଚାଳନା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାବମୂର୍ତ୍ତିକୁ ଶକ୍ତିଶାଳୀ ଓ ପ୍ରଭାବୀ କରିବା ପାଇଁ ଖାସ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାସକ ଭିତରେ ତିନି ତିନି ଥର ଭଳି ତୁଫାନୀ ଓଡ଼ିଶା ଗସ୍ତ ମୁକୁଙ୍କ ସବୁ ରଣନୀତିକୁ ଫେଲ୍ କରିଦେବ। କାରଣ ଖୋଦ୍ କେନ୍ଦ୍ରୀୟ ନେତୃତ୍ୱଙ୍କ ଜାଣତରେ ହିଁ ଧର୍ମେନ୍ଦ୍ର କ୍ୟାମ୍ପର ଖାସ୍ କେହି ଜଣେ ଢୋଲକ୍ ମହାପାତ୍ରଙ୍କ ଠାରୁ ଆରମ୍ଭ ହୋଇଥିବା ମୁକୁ ଗୋଷ୍ଠୀ ପକ୍ଷଛେଦନର ପର୍ବ ଏବେ ରାଜ୍ୟ ବିଜେପିରେ ଚୂଡ଼ାନ୍ତ ରୂପ ନେବା ଅପେକ୍ଷାରେ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *