ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ନେଲେ ଶପଥ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା । ଆଜି ଜଷ୍ଟିସ ଖାନ୍ନା ୫୧ତମ ପ୍ରଧାନ ବିଚାରପତି ଭାବେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ । ୬ ମାସ ପର୍ଯ୍ୟନ୍ତ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ରହିବ । ଆସନ୍ତା ବର୍ଷର୍ ମେ’ ୧୩ରେ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ସରିବ ।

୧୯୮୩ରେ ଦିଲ୍ଲୀ ବାର କାଉନସିଲରେ ଯୋଗଦେଇ ଓକିଲାତି ଜୀବନ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା । ସାମ୍ବିଧାନିକ ଆଇନ, ଟିକସ, ମଧ୍ୟସ୍ଥତା ଆଇନ, ବାଣିଜ୍ୟକ ଆଇନ ଓ ପରିବେଶ ଆଇନ ଉପରେ ତାଙ୍କର ବେଶ ଅଭିଜ୍ଞତା ରହିଛି । ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ନିର୍ବାଚନୀ ବଣ୍ଡ ରଦ୍ଦ ଠାରୁ ଆରମ୍ଭ କରି ଇଭିଏମ୍ ସ୍ୱଚ୍ଛତା, ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ସହ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜଷ୍ଟିସ ଖାନ୍ନା ।

ଏହାପୂର୍ବରୁ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ ଅବସର ନେଇଥିଲେ। ଜଷ୍ଟିସ ଖାନ୍ନାଙ୍କ ନାମ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା। ନଭେମ୍ବର ୧୦ରେ ୬୫ ବର୍ଷ ବୟସରେ ଚନ୍ଦ୍ରଚୁଡ଼ ଏହି ପଦବୀରୁ ଅବସର ନେଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *