୧୯୫୪ରେ ୮୦୦ ଲୋକଙ୍କ ଯାଇଥିଲା ଜୀବନ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ମୌନୀ ଅମାବାସ୍ୟା ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରିବାକୁ ପ୍ରୟାଗରାଜରେ ପହଞ୍ଚିଥିଲେ । ଭିଡ଼ ଅସମ୍ଭାଳ ହେବାରୁ ଏକ ବ୍ୟାରିକେଡ଼ ଭୁଶୁଡ଼ି ପଡ଼ିଥିଲା । ପରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ଶତାଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ଅନେକ ଲୋକ ଫସି ଯାଇଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଶ୍ୱର ସର୍ବବୃହତ୍ ଧାର୍ମିକ ସମାବେଶ ଭାବେ ପରିଗଣିତ କୁମ୍ଭମେଳାରେ ଅତୀତରେ ମଧ୍ୟ ଏକାଧିକ ଦଳାଚକଟା ଦେଖିବାକୁ ମିଳିଥିଲା।

୧୯୫୪ ମସିହାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା କୁମ୍ଭମେଳା । ଏହା ଭାରତ ପାଇଁ ଏକ ଐତିହାସିକ ଘଟଣା ଥିଲା । କିନ୍ତୁ ଏହା ଏକ ଦୁଃଖଦ ଘଟଣା ଭାବରେ ମଧ୍ୟ ସ୍ମରଣୀୟ। ୧୯୫୪ ଫେବୃୟାରୀ ୩ ତାରିଖରେ ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ)ର କୁମ୍ଭମେଳାରେ ମୌନୀ ଅମାବାସ୍ୟା ଅବସରରେ ଶାହୀ ସ୍ନାନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭିଡ଼ ଅଣାୟତ ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପାଖାପାଖି ୮୦୦ ଲୋକ ପ୍ରାଣ ହରାଇଥିଲେ।

ସେହିପରି ୧୯୮୬ ମସିହାରେ ହରିଦ୍ୱାରର ଆୟୋଜିତ ହୋଇଥିଲା କୁମ୍ଭମେଳା । ଏଠାରେ ମଧ୍ୟ ଦଳାଚକଟା ଦେଖିବାକୁ ମିଳିଥିଲା, ଯେଉଁଥିରେ ଅତି କମ୍‌ରେ ୨୦୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀର ବାହାଦୁର ସିଂହ ବିଭିନ୍ନ ରାଜ୍ୟର ଅନେକ ମନ୍ତ୍ରୀ ଓ ସାଂସଦଙ୍କ ସହ ହରିଦ୍ୱାରରେ ପହଞ୍ଚିବା ପରେ ଏହି ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଭିଡ଼ ଅସମ୍ଭାଳ ହେବା ସହ ଅନିୟନ୍ତ୍ରିତ ହୋଇପଡ଼ିଥିଲା, ଯାହା ଫଳରେ ଭୟଙ୍କର ଦଳାଚକଟା ସୃଷ୍ଟି ହୋଇଥିଲା।

ସେହିପରି ୨୦୦୩ ମସିହାରେ ମହାରାଷ୍ଟ୍ରର ନାସିକରେ କୁମ୍ଭମେଳା ସମୟରେ ପବିତ୍ର ସ୍ନାନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଗୋଦାବରୀ ନଦୀରେ ଏକାଠି ହୋଇଥିଲେ । ଏଠାରେ ଦଳାଚକଟା ହେବାରୁ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ।
୨୦୧୩ ମସିହା ଫେବ୍ରୁଆରି ୧୦ ତାରିଖରେ କୁମ୍ଭମେଳା ସମୟରେ ଆହ୍ଲାବାଦ ରେଳ ଷ୍ଟେସନରେ ଏକ ଫୁଟ୍‌ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଥିଲେ ।

ଚଳିତବର୍ଷ ମହାକୁମ୍ଭରେ ନଦୀକୂଳର ୧୨ କିଲୋମିଟର ଲମ୍ବା ରେଞ୍ଜରେ ସୃଷ୍ଟି ହୋଇଥିବା ସଙ୍ଗମ ଓ ଅନ୍ୟାନ୍ୟ ଘାଟରେ ପ୍ରବଳ ଜନସମାଗମ ହେଉଛି । ଗତ ବୁଧବାର ରାତି ପ୍ରାୟ ୨ଟା ବେଳେ ଦଳାଚକଟା ଘଟିଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରାୟ ୪୦ କୋଟି ଲୋକ ଯୋଗଦେବେ ବୋଲି ଆକଳନ କରାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *