ପୁରୀ: ଦିନକ ପରେ ଅର୍ଥାତ ମଙ୍ଗଳବାର ଠାରୁ କାର୍ତ୍ତିକ ମହାପଞ୍ଚୁକ ବ୍ରତ ଆରମ୍ଭ ହେବ। ପଞ୍ଚୁକ ୫ ଦିନ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ବର୍ଷକରେ ଥରେ ଦର୍ଶନ ଦେଇଥାଆନ୍ତି। ତେଣୁ ଏହି ୫ ଦିନକୁ ଚାତକ ଭଳି ଚାହିଁ ରହିଥାଆନ୍ତି ଶ୍ରଦ୍ଧାଳୁ। ଚଳିତ ବର୍ଷ ତିଥି କ୍ଷୟ ପଡୁଥିବାରୁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେବ। ଫଳରେ ଭକ୍ତ ୪ ଦିନରେ ୪ଟି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ।
ଦେବ ଉତ୍ଥାପନ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହ ପ୍ରତ୍ୟହ ଭିନ୍ନ ଭିନ୍ନ ବେଶରେ ସୁସଜ୍ଜିତ ହୋଇ ଦର୍ଶନ ଦେବେ। ୧୨ ତାରିଖ ଅର୍ଥାତ ପଞ୍ଚୁକ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ, ୧୩ ତାରିଖରେ ବାଙ୍କଚୁଡ଼ା ବେଶ, ୧୪ରେ ଡାଳିକିଆ ତଥା ତ୍ରିବିକ୍ରମ ବେଶ ଓ ୧୫ ତାରିଖରେ ରାଜାଧିରାଜ ବେଶ ବା ସୁନାବେଶରେ ମହାପ୍ରଭୁ ଦର୍ଶନ ଦେବେ। ସାଧାରଣତଃ ପଞ୍ଚୁକର ପ୍ରଥମ ଦିନରେ ଠାକୁରଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇତାଏ। ତିଥି କ୍ଷୟ ପଡୁଥିବାରୁ ଏ ବର୍ଷ ଏହି ବେଶ ହେବ ନାହିଁ। ଫଳରେ ଚଳିତ ବର୍ଷ ମହାପ୍ରଭୁଙ୍କର ଏହି ଦୁର୍ଲଭ ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବେ।